You are here
Home > ଲାଟେଷ୍ଟ > ଓଡ଼ିଶାରେ ସବକା ବିକାଶରେ ବିଜେଡି ବାଧକ: ଶିବରାଜ

ଓଡ଼ିଶାରେ ସବକା ବିକାଶରେ ବିଜେଡି ବାଧକ: ଶିବରାଜ

ବରଗଡ: ମୋଦି ସରକାରଙ୍କ ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ବରଗଡରେ ଆୟୋଜିତ ସବକା ସାଥ ସବକା ବିକାଶ’ କାର୍ଯ୍ୟକ୍ରମରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଗ ଦେଇଛନ୍ତି  । ସେ ଶାସକ ବିଜେଡି ଓ ବିରୋଧୀ କଂଗ୍ରେସକୁ ସମାଲୋଚନା କରିବା ସହ ମୋଦି ସରକାରଙ୍କ ୩ ବର୍ଷର ଉପଲବ୍ଧି ଲୋକଙ୍କ ନିକଟରେ ରଖିଛନ୍ତି । ଜଗନ୍ନାଥଙ୍କ ମାଟିରେ ବରଗଡ ଧନୁଯାତ୍ରା ଅଭୁତପୂର୍ବ ବୋଲି ଶିବରାଜ କହିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସବକା ସାଥ ସବକା ବିକାଶ’ର ନାରା ଦେଇଛନ୍ତି । କିନ୍ତୁ ଏଠି ବିଜେଡି ସରକାର ଥିବା ଯାଏ ସବକା ବିକାଶ ସମ୍ଭବ ନୁହେଁ ।
  ଜଳ ସମ୍ପଦ, ଖଣିଜ ସଂପଦ ଓ ପ୍ରାକୃତିକ ସମ୍ପଦରେ ଓଡ଼ିଶା ଭରିରହିଛି । ମାତ୍ର ତାର ସଦୁପଯୋଗ ନହେବାରୁ ଓଡ଼ିଶାରେ ଯେତିକି ବିକାଶ ହେବା କଥା ତାହା ହୋଇପାରିନାହିଁ । ଓଡ଼ିଶାରେ ବିଜେପି ସରକାର ହେଲେ ସମସ୍ତଙ୍କ ବିକାଶ ହେବ । କଂଗ୍ରେସକୁ ସମାଲୋଚନା କରି ସେ କହିଛନ୍ତି ପୂର୍ବରୁ ଯିଏ ପ୍ରଧାନମନ୍ତ୍ରୀ ଥିଲେ ସେ ମୌନ ଥିଲେ ଏବଂ ରିମୋର୍ଟ କଣ୍ଟ୍ରୋଲ  ଭାବେ କାମ କରୁଥିଲେ । ନିଜେ କୌଣସି ନିଷ୍ପତ୍ତି ନେଇପାରୁନଥିଲେ ଏବଂ  ପଲିଟିକାଲ ପାରାଲିସିସ୍ ହୋଇ ପଡିଥିଲେ । କଂଗ୍ରେସ ସରକାର ଗୋଟିଏ ପରେ ଗୋଟିଏ ଭ୍ରଷ୍ଟାଚାର ରେକର୍ଡ କରିଚାଲିଥିଲା । କିନ୍ତୁ କେନ୍ଦ୍ରକୁ ମୋଦି ସରକାର ଆସିବା ପରେ ଏହି ୩ ବର୍ଷରେ କିଛି ଭ୍ରଷ୍ଟାଚାରର ଅଭିଯୋଗ ନାହିଁ । କଂଗ୍ରେସ ସମୟରେ ବିଦେଶୀମାନେ ଭାରତକୁ ଭ୍ରଷ୍ଟାଚାରର ଗଡ  କହୁଥିଲେ । କିନ୍ତୁ ଏବେ ଦେଶର ଚିତ୍ର ବଦଳିଛି । ମୋଦି ଜନତାଙ୍କ ବିକାଶ ପାଇଁ ତୃଣମୂଳ ସ୍ତରରୁ ଅନେକ ଯୋଜନା କରିବା ସହ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।
  ବିଜେଡିକୁ ସମାଲୋଚନା କରି ଶିବରାଜ କହିଛନ୍ତି, ମୋଦି ସରକାର  ଓଡ଼ିଶାକୁ ପ୍ରଚୁର ଅନୁଦାନ ଦେଉଛନ୍ତି । କେନ୍ଦ୍ରୀୟ ଯୋଜନାରେ ଓଡ଼ିଶାକୁ ପର୍ଯ୍ୟାନ୍ତ ଅର୍ଥ ଦିଆଯାଉଛି । ଟଙ୍କିକିଆ ଚାଉଳ ପାଇଁ ଓଡ଼ିଶାକୁ ମାସକୁ ୪୦୦ କୋଟି ଟଙ୍କା ମିଳୁଛି । ମାତ୍ର ବିଜେଡି ସରକାର ଏହାକୁ ବିନିଯୋଗ କରିବାରେ ବିଫଳ ହୋଇଛି । ନିଜ ଅବହେଳାର ଦୋଷ କେନ୍ଦ୍ର ଉପରେ ଲଦୁଛନ୍ତି । ପ୍ରଧାନମନ୍ତ୍ରୀ ସଡକ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି କାର୍ଯ୍ୟକ୍ରମରେ ଓଡ଼ିଶାକୁ ନ୍ୟାର୍ଯ୍ୟ ଅନୁଦାନ ମିଳୁଛି । ବିଡମ୍ବନାର କଥା  ଓଡ଼ିଶାରେ ବ୍ୟବସ୍ଥାରେ କୌଣସି ପ୍ରକାର ସୁଧାର ଆସୁନି । କେନ୍ଦ୍ର ସରକାର  ଉଜ୍ଜ୍ୱଳା ଯୋଜନାରେ ମହିଳାଙ୍କୁ ଗ୍ୟାସ ପ୍ରଦାନ କରିଛନ୍ତି । ମହିଳାଙ୍କୁ ଆଉ  ଆଗ ପରି ଧୂଆଁରେ ରୋଷଇ କରିବାକୁ ପଡୁନାହିଁ  । ଓଡ଼ିଶାରେ ଡାକ୍ତରଖାନରେ  ଡାକ୍ତର ନାହାନ୍ତି, ଚିକିତ୍ସା ସୁବିଧା ନାହିଁ । ତେଣୁ ଓଡ଼ିଶାରେ ବିକାଶ ପାଇଁ ବିଜେପି ଆସିବା ଦରକାର ।
  ସେପଟେ ମଧ୍ୟପ୍ରଦେଶରେ ଚାଷୀଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାକୁ କେନ୍ଦ୍ର କରି ବିଭିନ୍ନ ଦଳ ଶିବରାଜଙ୍କ ଗସ୍ତକୁ ବିରୋଧ କରିଛନ୍ତି । ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦଙ୍କ ସମେତ ୩ଜଣଙ୍କୁ ପୋଲିସ ଅଟକ ରଖିଛି । ଅନ୍ୟପକ୍ଷରେ ଗୌରପଡାରେ ବିଜୁ ଜନତା ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି । ବିକ୍ଷୋଭ ବେଳେ ପୋଲିସ ଶତାଧିକ ବିଜେଡି କର୍ମୀଙ୍କୁ ଅଟକ ରଖିଛି । ସେହିପରି ଗୁରୁଦ୍ୱାର ଛକ ନିକଟରେ ବିକ୍ଷୋଭ କରୁଥିବା ବେଳେ ୨୦ ଜଣ ଆମ ଆଦମୀ ପାର୍ଟୀ କର୍ମୀଙ୍କୁ ଅଟକ  ରଖାଯାଇଛି । ଓଡ଼ିଶା ଆସୁଥିବା ସମସ୍ତ ବିଜେପି ନେତାଙ୍କୁ ବାରମ୍ବାର ବିରୋଧର ସମ୍ମୁଖୀନ  ହେବାକୁ ପଡୁଛି । ବରଗଡରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହୁଏ , ସେଥିପାଇଁ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ।

ONA

Leave a Reply

Top