You are here
Home > ଲାଟେଷ୍ଟ > ଓଡ଼ିଆ ଆଥଲେଟଙ୍କୁ ଅଣଦେଖା

ଓଡ଼ିଆ ଆଥଲେଟଙ୍କୁ ଅଣଦେଖା

ରାଜ୍ୟ ତଥା ଦେଶ ପାଇଁ ମେଡାଲ ଜିତି ଢ଼େର ଯଶଗୌରବ ଆଣିଛନ୍ତି । ସାରା ଦେଶରେ ୧୦୦ ମିଟର ଦୌଡ଼ରେ(ପୁରୁଷ) ଏକ ନମ୍ବର ମାନ୍ୟତା ବି ମିଳିଛି ତାଙ୍କୁ । ହେଲେ ଆଥଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆର ଦାଉପେଞ୍ଚର ଶିକାର ହେବାକୁ ପଡିଲା ତାଙ୍କୁ । ଟ୍ରାକ୍ ଆଣ୍ଡ ଫିଲ୍ଡସ୍ ରେ ନିଜର ଜଲୱା ଦେଖାଇସାରିଥିବା ଓଡ଼ିଆ ପୁଅ ଅମୀୟ ମଲ୍ଲୀକଙ୍କ ପ୍ରତି ଅନ୍ୟାୟ ହୋଇଛି । ତାଙ୍କୁ ଏସିଆନ୍ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ରେ ପ୍ରତିଦ୍ୱନ୍ଦ୍ୱିତା କରିବାରୁ ବଞ୍ଚିତ କରାଯାଇଛି । କେବଳ ଅମୀୟ ନୁହଁନ୍ତି ୨୨ତମ ଏସୀୟ ଦୌଡକୁଦରେ ବ୍ରୋଞ୍ଜ ପଦକ ହାତେଇଥିବା ଦୌଡରାଣୀ ଶ୍ରାବଣୀ ନନ୍ଦଙ୍କ ସହ ଏଭଳି କରିଛି ଏଏଫଆଇ ।
ନିକଟରେ ଆଥଲେଟିକ୍ ଫେଡେରେସନ୍ ଅଫ ଇଣ୍ଡିଆ ପକ୍ଷରୁ ଅଷ୍ଟମ ଏସିଆନ୍ ଇନଡୋର ଚାମ୍ପିଅନସିପ ନିମନ୍ତେ ୧୩ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଥିଲା । ଏଥିରେ ଏକମାତ୍ର ଓଡ଼ିଆ ପ୍ରତିଯୋଗୀ ଭାବେ ଦୂତି ଚାନ୍ଦ ସ୍ଥାନ ପାଇଥିଲେ । କିନ୍ତୁ ଅମୀୟ ଓ ଶ୍ରାବଣୀଙ୍କୁ ସ୍ଥାନ ନମିଳିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଆଗାମୀ ଫେବୃଆରୀ ୧ରୁ ୩ ତାରିଖ ମଧ୍ୟରେ ଇରାନ୍ର ତେହେରାନ୍ରେ ଅଷ୍ଟମ ଏସିଆନ୍ ଇନଡୋର ଚାମ୍ପିଅନସିପ ଆୟୋଜିତ ହେବ । ଏଥିରେ ଭାଗ ନେବା ଲାଗି ଭାରତୀୟ ଖେଳାଳିଙ୍କୁ ସେମାନଙ୍କର ପ୍ରଦର୍ଶନ ଆଧାରରେ ଚୟନ କରାଯାଇଛି ବୋଲି ଏଏଫଆଇର ସମ୍ପାଦକ ସିକେ ଭଲସନ୍ କହିଥିଲେ । ତେବେ ଆଥଲେଟଙ୍କ କେଉଁ ମାନଦଣ୍ଡକୁ ଆଧାର କରି ଚୟନ ହୋଇଛି ବୋଲି ପ୍ରଶ୍ନ ଉଠିଛି ।
ଗତ ବର୍ଷ ଜୁଲାଇ ମାସରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୨୨ତମ ଏସୀୟ ଦୌଡକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ୨୯ ମେଡାଲ ଜିିତି ପଦକ ତାଲିକାର ଶୀର୍ଷରେ ରହିଥିଲା । ଆମ ଓଡ଼ିଆ ପ୍ରତିଯୋଗୀ ଶ୍ରାବଣୀ ନନ୍ଦ ଓ ଦୂତି ଚାନ୍ଦ ୪ ଗୁଣା ୧୦୦ ମିଟର ଦଳଗତ ରିଲେରେ ବ୍ରୋଞ୍ଜ ପଦକ ହାତେଇ ରାଜ୍ୟର ଗୌରବ ବଢ଼ାଇଥିଲେ । ହେଲେ ଅମୀୟ ଓ ଜଉନା ମୁର୍ମୁଙ୍କୁ ଭାଗ୍ୟ ସାଥ୍ ଦେଇନଥିଲା । ଦୁଇଥର ଡିସ୍ କ୍ୱାଲିଫାଏ କାରଣରୁ ଅମୀୟ ଦୌଡ ସମ୍ପୂର୍ଣ୍ଣ କରିପାରି ନଥିଲେ । ସେହିଭଳି ଜଉନା ପଦକ ରେସରେ ଆଶାତୀତ ପ୍ରଦର୍ଶନ ଦେଖାଇପାରି ନଥିଲେ । ତେବେ ପୂର୍ଣ୍ଣିମାଙ୍କୁ ଡେକାଥଲନରେ ବ୍ରୋଞ୍ଜ ସଫଳତା ମିଳିଥିଲା । ଏତଥିଲା ନିକଟରେ ଆମ ଓଡ଼ିଆ ପ୍ରତିଯୋଗୀଙ୍କ ଅନ୍ତର୍ଜାତୀୟ ସଫଳତା ଓ ବିଫଳତାର କଥା । ତେବେ ୧୦୦ ମିଟର ଦୌଡ(ପୁରୁଷ) ନିମନ୍ତେ ଏଏଫଆଇ ଜାରି କରିଥିବା ର୍ୟାଙ୍କିଙ୍ଗରେ ଅମୀୟ ମଲ୍ଲୀକ ଶୀର୍ଷ ସ୍ଥାନରେ ରହିଛନ୍ତି । ଏହାସତ୍ତେ୍ୱ ତାଙ୍କୁ କେଉଁ ଆଧାରେ ଏସିଆନ୍ ଇନଡୋର ଚାମ୍ପିଅନସିପରୁ ବଞ୍ଚିତ କରାଗଲା ବୋଲି ପ୍ରଶ୍ନ ଉଠିଛି ।
ଶ୍ରାବଣୀ ଏବେ ବିଦେଶରେ ପ୍ରଶିକ୍ଷଣ ନେଉଛନ୍ତି । ସେହିଭଳି ଘରୋଇ ଭେନ୍ୟୁ କଳିଙ୍ଗ ଷ୍ଟାଡିୟମରେ ଝାଳ ବୁହାଉଛନ୍ତି ଅମୀୟ । ତେବେ ଏସିଆନ୍ ଇନଡୋର ଚାମ୍ପିଅନସିପ ନିମନ୍ତେ ଦଳରେ ସ୍ଥାନ ପାଇନଥିବା କାରଣରୁ ଅମୀୟ ହତୋତ୍ସାହିତ ହୋଇପଡିଛନ୍ତି । ଗଣମାଧ୍ୟମରୁ ଦଳ ଚୟନ ନେଇ ଜାଣିବାକୁ ପାଇଥିଲେ ଅମୀୟ । କେତେବେଳେ ଓ କେଉଁଠି ଏଏଫଆଇ ଚୟନ ସିବିର ଆୟୋଜନ କଲେ ତାହା ମଧ୍ୟ ଅମୀୟଙ୍କୁ ଜଣାଯାଇ ନଥିଲା । ସାଧାରଣତ କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତା ପୂର୍ବରୁ ଦଳ ଚୟନ ନିମନ୍ତେ ଆଶାୟୀ ପ୍ରତିଯୋଗୀଙ୍କୁ ଅଫିସିଆଲ ଭାବେ ଜଣାଯାଇଥାଏ । ଯୋଗ୍ୟତା ହାସଲ ନିମନ୍ତେ ସୁଯୋଗ ମଧ୍ୟ ଦିଆଯାଇ ଥାଏ । ହେଲେ ଅମୀୟଙ୍କ କ୍ଷେତ୍ରରେ ଏଭଳି କିଛି ହୋଇନି । ଅମୀୟଙ୍କ ପ୍ରତିବଦଳରେ ଏସିଆନ୍ ଇନଡୋର ଚାମ୍ପିଅନସିପର ପୁରୁଷ ୬୦ ମିଟରରେ ଭାରତ ପକ୍ଷରୁ ମହମ୍ମଦ ସଦଥ୍ ଓ ଏଲକ୍ୟା ଦସନ୍ଙ୍କୁ ସୁଯୋଗ ମିିଳିଛି । ଉଭୟଙ୍କ ଟାଇମିଂ ଅମୀୟଙ୍କଠୁ ଢ଼େର ପଛରେ । ଓଡ଼ିଶାରୁ ଏକାଧିକ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଦୌଡ ପ୍ରତିଯୋଗୀ ବାହାରିଛନ୍ତି । ଦୂତି ଦ୍ରୁତତମ ମହିଳା ଧାବିକା ଓ ଅମୀୟ ଦ୍ରୁତତମ ପୁରୁଷ ଧାବକ ହେବାର ଗୌରବ ଅର୍ଜନ କରିଛନ୍ତି । ଏହାସତ୍ତେ୍ୱ ଦଳ ଚୟନରେ କାହିଁକି ଚଞ୍ଚକତା କରାଯାଉଛି ବୋଲି ଅନେକ କ୍ରୀଡା ସମୀକ୍ଷକ ମତ ରଖିଛନ୍ତି ।

ONA

Leave a Reply

Top