You are here
Home > ଅଧିକ ଖବର > ଓଲ୍ଡ ଗାର୍ଡ ପାୱାର ଫୁଲ

ଓଲ୍ଡ ଗାର୍ଡ ପାୱାର ଫୁଲ

ଭୁବନେଶ୍ୱର,(ଅମ୍ବୁଜ ବିଶୋଇ): ପ୍ରଦେଶ କଂଗ୍ରେସ ଲାଗି ନୂଆ ମୁଣ୍ଡିଆଳ ଖୋଜା ଚାଲିଛି । ଖାସ୍ ସେଥିପାଇଁ ଓଡିଶା ଆସିଛନ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ୩ ଜଣିଆ ପର୍ଯ୍ୟବେକ୍ଷକ କମିଟି । ଜିତେନ୍ଦ୍ର ସିଂ, ତାମ୍ରଧ୍ୱଜ ସାହୁ ଓ କଂଗ୍ରେସ ସାଂସଦ ଗୌରବ ଗୋଗଇ ୩ ଦିନିଆ ଗସ୍ତରେ ଆସି ରାଜ୍ୟ କଂଗ୍ରେସ ମୁଣ୍ଡିଆଳ କିଏ ହୋଇପାରେ ତା’ର ତାଲିକା ପ୍ରସ୍ତୁତ କରୁଛନ୍ତି । ପ୍ରସାଦ ହରିଚନ୍ଦନଙ୍କ ପରେ କିଏ ହେବେ ପିସିସି ସଭାପତି, ତା’ର ଚୂଡାନ୍ତ ରୂପରେଖ ପ୍ରସ୍ତୁୁତ କରୁଛି ସେହି ଟିମ । ସେହି ତିନି ଜଣିଆ କମିଟିର ରିପୋର୍ଟ ଉପରେ ହିଁ ଭରସୁଛି ରାଜ୍ୟ କଂଗ୍ରେସର ଭାଗ୍ୟ । ତେବେ  ସୋନିଆ ଗାନ୍ଧିଙ୍କ ରାଜନୈତିକ ସଚିବ ଅହମ୍ମଦ ପଟେଲ ରାଜ୍ୟସଭାକୁ ପୁର୍ନବାର ନିର୍ବାଚିତ ହୋଇ ଆସିବାରୁ ଓଡିଶା କଂଗ୍ରେସ ଭେଟରାନ୍ମାନେ ଆଶାୟୀ ହୋଇ ପଡିଛନ୍ତି । ୟଙ୍ଗ ବ୍ରିଗ୍ରେଡକୁ ନେଇ ସଙ୍ଗଠନ ସୁଦୃଢ କରିବାକୁ ଚାହୁଁଥିବା କଂଗ୍ରେସ ଉପାଧ୍ୟକ୍ଷ ରାହୁଲଙ୍କ ପ୍ଲାନକୁ ବ୍ରେକ ଦେବାକୁ ଅହମ୍ମଦ ପଟେଲ ଆସିଲେଣି । ଯାହାର ପ୍ରଭାବ ଓଡିଶାରେ ଦେଖିବାକୁ ମିଳିବ । ବୟସ୍କ ନେତାଙ୍କୁ ଦେଖି ନାକ ଟେକୁଥିବା ରାହୁଲଙ୍କୁ ଯୁବନେତା ପିସିସି ସଭାପତି ପ୍ରସାଦ ମଧ୍ୟ ହତାସ କରି ଦେଲେଣି । ତେଣୁ ଏଭଳି ସ୍ଥିତିରେ ନିଜ ସପକ୍ଷର ନେତାଙ୍କୁ ଗାଦିରେ ବସାଇବାକୁ ସବୁଠି ଚାଲିଛି କସରତ୍ । ସବୁ କ୍ୟାମ୍ପରେ ପ୍ରସ୍ତୁତ ହେଉଛି ଭିନ୍ନ ଭିନ୍ନ ରଣନୀତି । ଆଉ ଏଆଇସିସି ସଦସ୍ୟଙ୍କୁ ଖୁସ୍ କରିବା ଲାଗି ଆଶାୟୀ ସଭାପତି ପ୍ରାର୍ଥୀମାନେ ନିଜର ଜୀ-ଜାନ ଲଗାଇ ଦେଇଛନ୍ତି ।
ଏଆଇସିସି ୩ଜଣିଆ ଟିମ ୩ ଦିନ ଓଡିଶାରେ ରହିବେ । ଓଡିଶା କଂଗ୍ରେସ ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବେ । ୧୫ଜ ଣ ବିଧାୟକ ଓ ଏକମାତ୍ର ସାଂସଦ ରଞ୍ଜୀବ ବିଶ୍ୱାଳଙ୍କୁ ଭେଟିବେ । ରାଜ୍ୟ କଂଗ୍ରେସରେ ଅନ୍ତଦ୍ୱର୍ନ୍ଦ୍ୱର କାରଣ ଖୋଜିବା ସହ ଆଗାମୀ ଦିନରେ ଦଳକୁ ମଜଭୁତ କରିବା ପାଇଁ କାହା ହାତରେ ଦାୟିତ୍ୱ ଦେଲେ ଭଲ ହେବ, ସେ ନେଇ ବି ମତ ସଂଗ୍ରହ କରିବେ । ଆଉ ଶେଷରେ ଉପଯୁକ୍ତ ସଭାପତିଙ୍କ ନାମକୁ ହାଇକମାଣ୍ଡଙ୍କ ଆଗରେ ସୁପାରିସ କରିବେ । ଏଥିପାଇଁ ରାଜ୍ୟ କଂଗ୍ରେସ ଏବେ ଚଳଚଞ୍ଚଳ ।
ତେବେ ପିସିସି ସଭାପତି ଦୌଡରେ ନିରଞ୍ଜନ ପଟ୍ଟନାୟକଙ୍କ ପଲା ଭାରି ରହିବ; ଶ୍ରୀକାନ୍ତ ଜେନା, ଜୟଦେବ ଯେନା ଏବଂ ଭକ୍ତ ଦାସଙ୍କ ଚାଲ୍ ଫେଲ୍ ମାରି ପାରେ । ସେପଟେ ନେତୃତ୍ୱ ନେବାରେ ଫେଲ୍ ମାରିଥିଲେ ବି ବାବୁ ପ୍ରସାଦ ଚୌକି ଛାଡିବାକୁ ଅମଙ୍ଗ । ଏତିକିବେଳେ ପଟ୍ଟନାୟକଙ୍କ ପଛରେ ଛିଡା ହୋଇଛନ୍ତି ଦଳର ସମସ୍ତ ବିଧାୟକ ଓ ସାଂସଦ ରଞ୍ଜୀବ ବିଶ୍ୱାଳ । ପୁଣି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଓ ଅନନ୍ତ ସେଠୀଙ୍କ ପରି ଅନେକ ବରିଷ୍ଠ ନେତା ନିରଞ୍ଜନଙ୍କୁ ଦେଉଛନ୍ତି ସମର୍ଥନ । ଆଉ ଦ୍ୱିତୀୟ ଥର ପିସିସି ଗାଦି ନିଶାରେ ବିଭୋର ପଟ୍ଟନାୟକ ପରିବାର ସମର୍ଥନ ଯୋଗାଡ ଲାଗି ଅର୍ଥ ଉଡାଉଛନ୍ତି । ସେମିତି ବି ଦେଖିବାକୁ ଗଲେ ଏହି ଦୌଡରେ ନିରଞ୍ଜନ ବାବୁ ଆଗରେ ରହିବା ସ୍ୱାଭାବିକ କଥା । ପଟ୍ଟନାୟକ ପରିବାରର ଘନିଷ୍ଠ ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ପଦରୁ ଦାୟିତ୍ୱ ମୁକ୍ତ ହେବା ପରେ ଏବେ ଏଆଇସିସି ବ୍ୟାପରରେ ହସ୍ତକ୍ଷେପ କରି ପାରନ୍ତି । ତେଣୁ ନିରଞ୍ଜନଙ୍କ ହାତରେ ଓଡିଶା କଂଗ୍ରେସ ଦେବାକୁ କୁଆଡେ ପ୍ରଣବ ଦା ଦଳୀୟ ହାଇକମାଣ୍ଡଙ୍କୁ ପ୍ରସ୍ତାବ ଦେବେ ବୋଲି ଖବର ଆସୁଛି । ପଟ୍ଟନାୟକ ପରିବାର ପ୍ରତି ରାହୁଲ ଗାନ୍ଧିଙ୍କ ନକାରାତ୍ମକ ମନୋଭାବ ସତ୍ତ୍ୱେ ବି ମ୍ୟାଡାମ ସୋନିଆଙ୍କ କ୍ୟାମ୍ପ ଏଥର ନିରଞ୍ଜନଙ୍କ ମୁଣ୍ଡରେ ସୁନା କଳସ ଢାଳିବା ଏକ ପ୍ରକାର ଥୟ ବୋଲି ଚର୍ଚ୍ଚା ହେଉଛି ।
ସେପଟେ ପଟ୍ଟନାୟକ ପରିବାରର ଏକାନ୍ତ ବିରୋଧୀ ବି ପିସିସି ଗାଦିରେ ନିରଞ୍ଜନଙ୍କୁ ନ ବସାଇ ଦେବାକୁ ନେଇଛନ୍ତି ବଜ୍ର ଶପଥ । ଯେନତେନ ପ୍ରକାରେ ୩ ଜଣିଆ କମିଟି ଆଗରେ ପଟ୍ଟନାୟକ ପରିବାର ବିରୋଧରେ ବିଷ ଉଗାଳିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପୂର୍ବତନ ପିସିସି ସଭାପତି ଜୟଦେବ ଯେନା । ସେମାନେ ଦଳିତ ଫେସ୍ ଭକ୍ତ ଦାସଙ୍କ ସପକ୍ଷରେ ଯୁକ୍ତି ବାଢୁଛନ୍ତି । ଏତିକିବେଳେ ପ୍ରସାଦଙ୍କ ଶ୍ୱଶୂର ସୁର ରାଉତରାୟଙ୍କୁ ନିଜ ଫୋଲ୍ଡକୁ ନେଇ ଆସିଲେଣି ନିରଞ୍ଜନ ପଟ୍ଟନାୟକ । ସେଥିପାଇଁ ତ ସୁରଙ୍କ ୭୪ତମ ଜୟନ୍ତୀର ଭୋଜିଭାତରେ ଉପସ୍ଥିତ ଥିଲେ ନିରଞ୍ଜନ । ତେଣୁ ଦେଖିବାକୁ ଗଲେ ବର୍ତ୍ତମାନର ସ୍ଥିତିରେ କଂଗ୍ରେସ ପାଣିପାଗ ଓଲ୍ଡ ଗାର୍ଡ ନିରଞ୍ଜନଙ୍କ ସପକ୍ଷରେ ରହିଛି ।

ONA

Leave a Reply

Top