You are here
Home > ଅଧିକ ଖବର > ଏକା କଲା କିଏ?

ଏକା କଲା କିଏ?

ଭୁବନେଶ୍ୱର: ଉତ୍ତରପ୍ରଦେଶକୁ ବିଜେପି ଦଖଲ କରିବା ପରେ ଚିନ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁ ଜନତା ପରିବାରକୁ ଢାଲ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରୋକ୍ଷରେ ଧମକ ଦେଉଥିଲେ, ତାହା ଏବେ ବୁମେରାଂ ହୋଇଛି । ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳର କିଛି ଘଣ୍ଟା ପରେ ହିଁ ନବୀନ ବାହାରିଲେ ଦିଲ୍ଲୀ । କୁହାଗଲା ଯେ ନବୀନ ଭଉଣୀ ଗୀତା ମେହେଟ୍ଟା ଓ ଭାଇ ପ୍ରେମ ପଟ୍ଟନାୟକଙ୍କ ସହ ଦିଲ୍ଲୀରେ ହୋଲି ମନାଇବେ । ହେଲେ ଏବେ ଭିତିରିଆ ଖବର କିଛି ଭିନ୍ନ ମିଳିଛି । ଶୁଣିବାକୁ ମିଳିଛି, ନିଜ ରକ୍ଷା କବଚ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟି ଗୁହାରି ହେବାକୁ ଯାଇଥିଲେ ନବୀନ । ଚିଟ୍ଫଣ୍ଡ, କୋଇଲା ଓ ଖଣି ଦୁର୍ନୀତିରେ ବିଜେଡିକୁ ସୁରକ୍ଷା ଦେବା ପାଇଁ ପୁରୁଣା ବନ୍ଧୁଙ୍କ ଶରଣ ନେବାକୁ ଯାଇଥିଲେ, ହେଲେ ଜେଟଲୀ ଦେଖା ଦେଲେନି । ଚର୍ଚ୍ଚା ହେଉଛି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଟାର୍ଗେଟରେ ଥିବା ନବୀନଙ୍କୁ ନ ଭେଟି  ବିବାଦରୁ ଦୂରେଇ ରହିଲେ ଜେଟଲୀ ।
୧୫ ମାର୍ଚ୍ଚ, ୨୦୧୭ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ସଂସଦ ଭବନ କକ୍ଷରେ ଭେଟିଥିଲେ ନବୀନ । ଓଡିଶାର ନିର୍ମାଣଧୀନ ମେଡିକାଲ କଲେଜ ପାଇଁ ବକେୟା ଅନୁଦାନ ମଧ୍ୟ ଦାବି କଲେ । ତେବେ କେନ୍ଦ୍ରମନ୍ତ୍ରୀ ନଡ୍ଡାଙ୍କ ସାକ୍ଷାତକୁ ନେଇ ବିଜେଡି ସଂସଦ ଦଳରେ ବିଦ୍ରୋହ ହୋଇଛି ବୋଲି ଆଲୋଚନା । ବିଜେଡିର ୨୮ ଜଣ ସାଂସଦ ଥାଇ ମଧ୍ୟ ସଂସଦ ପରିସରରେ ନବୀନ ଏକା ପଡି ଗଲେ । ଜଣେ ବି କେହି ସାଂସଦ ନବୀନଙ୍କ ପାଖ ମାଡିଲେ ନାହିଁ । ମାନୁଛୁ ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ନବଦିଗନ୍ତ ଚିଟ୍୍ଫଣ୍ଡ ଠକେଇ ମାମଲାରେ ଜେଲରେ ଅଛନ୍ତି । ଓଡିଶାରେ ମନ୍ତ୍ରୀ ହୋଇ କ୍ଷମତା ଉପଭୋଗ କରିଥିବା ସରୋଜିନୀ ହେଂବ୍ରମ ରାଜ୍ୟସଭା ଯିବା ପରେ ନବୀନଙ୍କ ଉପରେ ବିଗିଡି ଯାଇଛନ୍ତି । କିନ୍ତୁ ବାକି ୨୬ ବିଜେଡି ସାଂସଦ ଗଲେ କୁଆଡେ? ଏକା ଏକା ସଂସଦରୁ ଚାଲି ଚାଲି ବାହାରିଲେ ନବୀନ । ଶୁଣିବାକୁ ମିଳିଛି, ବିଜେଡିରେ ଏବେ ଅମଲାଙ୍କ ହସ୍ତକ୍ଷେପ ନେଇ ଅସନ୍ତୋଷ ଏତେ ବଢି ଯାଇଛି ଯେ ନବୀନଙ୍କ ଉପରେ ସମସ୍ତେ ଖପ୍ପା । ତେଣୁ ନଡ୍ଡାଙ୍କ ସହ ତାଙ୍କର ଭେଟଘାଟ ବେଳେ ବିଜୁ ଜନତା ଦଳ ର କୌଣସି ସାଂସଦ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ରହିଲେ ନାହିଁ ।  
ନବୀନଙ୍କ ବିଶ୍ୱସ୍ତ ପ୍ରଶାସକ ଭି. କେ. ପାଣ୍ଡ୍ୟାନଙ୍କ ରାଜନୈତିକ ପରିଚାଳନା ଯୋଗୁ ବିଜେଡି ସାଂସଦମାନେ ଅସନ୍ତୋଷ ଥିବା ଶୁଣିବାକୁ ମିଳିଛି । ପାଣ୍ଡ୍ୟାନଙ୍କ ଯୋଗୁ ପଞ୍ଚାୟତ ନିର୍ବାଚନରେ ବିପର୍ଯ୍ୟୟ ଘଟିଲା, ପୁଣି ଅନାସ୍ଥାରେ ପୌର ପରିଷଦ ବି ଯାଉଛି । ହେଲେ ଏଥିପାଇଁ ସାଂସଦମାନେ ନବୀନଙ୍କୁ ଦାୟୀ କରୁଛନ୍ତି । ନବୀନଙ୍କୁ ପାନେ ଦେବା ପାଇଁ କୁଆଡେ ସାଂସଦମାନେ ପୂର୍ବରୁ ଯୋଜନା କରିଥିଲେ । ନିଜ ଭିତରେ ମନ୍ତ୍ରଣା କରିଥିଲେ ଯେ କେହି ବି ନବୀନଙ୍କୁ ଦେଖା କରିବେନି । ଏହାର ନେତୃତ୍ୱ ଜଣେ କୋଟିପତି ଟାଇକୁନ୍ ସାଂସଦ ନେଇଥିବା ସୂଚନା ମିଳିଛି । ସେହି ସାଂସଦଙ୍କର ପାଖ ଲୋକ ହିିଁ ସଂସଦ ଭବନ ପରିସରରେ ନବୀନଙ୍କ ଏକା ଚାଲିବା ଭିଡିଓ ସୁଟିଂ କରି ସେହି ଫୁଟେଜ୍ ଓଡିଶା ଗଣମାଧ୍ୟମକୁ ଯୋଗାଇଥିବା ଖବର ମିଳିଛି । ଅବଶ୍ୟ ଅନେକ ସମୟରେ ଏହି ସାଂସଦଙ୍କ ଆଚରଣରୁ ଜଣା ପଡେ ଯେ ସେ କୌଣସି ମୁହୂର୍ତ୍ତରେ ବି ବିଜେପିରେ ମିଶି ପାରନ୍ତି । ହେଲେ ସାଂସଦ ଜଣକ ଏପରି ଷ୍ଟାଇଲରେ ଭିଡିଓ ଦେଲେ ଯେ ତାଙ୍କ ନାଁ ଆଗକୁ ଆସିଲା ନାହିଁ । ଯାହା ବିଜେଡି ଭିତିରିଆ ମହଲରୁ ଖବର ମିଳିଛି  ସେହି ସାଂସଦ ଜଣଙ୍କ ନବୀନଙ୍କ ଅସୁସ୍ଥ ଖବର ବିଭିନ୍ନ ମାଧ୍ୟମରେ ବାରମ୍ବାର ପ୍ରଚାର କରୁଛନ୍ତି । ତେବେ ବାସ୍ତବ କଥା ହେଲା ଭର୍ତ୍ତୃହରି ମହତାବଙ୍କୁ ବାଦ୍ ଦେଲେ ବାକି ସମସ୍ତ ବିଜେଡି ସାଂସଦ ଦିନରାତି ନବୀନ ଚାଳିଶା ଗାନ କରୁଛନ୍ତି । କାରଣ ସେମାନେ ସମସ୍ତେ ଜାଣନ୍ତି ନବୀନଙ୍କ ବିନା ସେମାନଙ୍କର ରାଜନୈତିକ ଅସ୍ତିତ୍ୱ ନାହିଁ । ନବୀନଙ୍କ ବାରଣ ଯୋଗୁ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ସାକ୍ଷାତ ସମୟରେ ବିଜେଡି ସାଂସଦମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ରହିଲେ ନାହିଁ । ଏପରିକି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ମୁଖ୍ୟମନ୍ତ୍ରୀ ଏକା ଭେଟି ବାଲେଶ୍ୱର, ବ୍ରହ୍ମପୁର ଓ କଳାହାଣ୍ଡିରେ ପାସପୋର୍ଟ ସେବା କେନ୍ଦ୍ର ଖୋଲିବାକୁ ଦାବି କଲେ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଡବୁକ୍ରେ ଥିବା ବିଜେଡି ସଂସଦୀୟ ଦଳ ମୁଖ୍ୟମନ୍ତ୍ରୀଙ୍କ ସହ ନାହାନ୍ତି ବୋଲି ପ୍ରଚାର କଲେ । ଆଉ ଯାହା ଜଣା ପଡୁଛି, ଦିଲ୍ଲୀର ରାଜନୈତିକ ପାଣିପାଗରେ ସେହି ବିଜେଡି ସାଂସଦ ଗେରୁଆ ବାନାକୁ ସୁରକ୍ଷା କବଚ ଭାବେ ବାଛି ନେଇଛନ୍ତି । ଅପେକ୍ଷା କେବଳ ବିଜେଡିକୁ ଦୁର୍ବଳ କରି ଶେଷ କରିବା ପାଇଁ! ତେବେ  ମୁଖ୍ୟମନ୍ତ୍ରୀଙ୍କ ସଂସଦ ପରିସରରେ ଏକୁଟିଆ ଚାଲିବା ଭିଜୁଆଲ୍ କେଉଁ ଓଡିଆ ଟିଭି ଚ୍ୟାନେଲକୁ କିଏ ପଠାଇଥିଲା ତାର ସବିଶେଷ ଖବର ମୁଖ୍ୟମନ୍ତ୍ରୀ ଅଫିସ ପାଇ ସାରିଛି । ସମୟ ଦେଖି ସେହି ସାଂସଦଙ୍କୁ ଆହୁରି ଡାଉନ୍ ସାଇଜ୍ କରାଯିବ ବୋଲି ନବୀନ ନିବାସରେ ଚର୍ଚ୍ଚା ।

ONA

Leave a Reply

Top