You are here
Home > ଅଧିକ ଖବର > ଉଡା ଖବର

ଉଡା ଖବର

ନବୀନ ନରମିଲେ
ବିଜେଡି ସୁପି୍ରମୋ ତଥା ନବୀନ ପଟ୍ଟନାୟକ ଏବେ ସଂଗଠନରେ ବଢ଼ୁଥିବା ତିକ୍ତତାକୁ ପ୍ରଶମିତ କରିବା ପାଇଁ କୁଆଡ଼େ ଅପେକ୍ଷାକୃତ ନରମ ଆଭିମୁଖ୍ୟ ପୋଷଣ କରୁଛନ୍ତି ବୋଲି ରାଜ୍ୟ ସାରା ଖବର ଉଡୁଛି । ବିଜେପୁର ନିର୍ବାଚନ ଘୋଷଣା ଏପର୍ଯ୍ୟନ୍ତ ହୋଇନଥିଲେ ବି ସେଠାରେ ବିଜୟ ସୁନିଶ୍ଚିତ କରିବା ପାଇଁ ଏବେ ବିଜେଡି ସବୁପ୍ରକାରର ଉଦ୍ୟମ ଆରମ୍ଭ କରିଦେଇଛି । ବିଦ୍ରୋହୀ ବିଜେଡିଙ୍କ ପାଇଁ କାଳେ ବିଜେପୁର ସିଟ୍ ହାତଛଡ଼ା ହେବ ସେହି ଭୟ କୁଆଡ଼େ ଏବେ ଖୋଦ୍ ଦଳର ସୁପି୍ରମୋ ଓ ତାଙ୍କ ପରାମର୍ଶଦାତାଙ୍କୁ ଘାରିବାରେ ଲାଗିଛି । ଯେଉଁଥିପାଇଁ ଜଣେ ଅସନ୍ତୁଷ୍ଟ ନେତାଙ୍କୁ ମନାଇବାକୁ କୁଆଡ଼େ ନବୀନ ଦଳୀୟ ମୁଖ୍ୟାଳୟ ଆସିଥିଲେ । ଗତ ୨ଦଶନ୍ଧି ମଧ୍ୟରେ କୌଣସି ବି ଅସନ୍ତୁଷ୍ଟ ନେତାଙ୍କ ସହ ସାଲିସ୍ ପାଇଁ କୁଆଡ଼େ ନବୀନ ଦଳୀୟ ମୁଖ୍ୟାଳୟକୁ ଆସିନାହାନ୍ତି ବୋଲି କୁହାଯାଉଛି । ଉଡା ଖବର ହେଉଛି, ବରଗଡ଼ ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଥିବା ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ କୁଆଡ଼େ ୨୦୧୪ ମସିହା ପରଠାରୁ   ସାଂଗଠନିକ କାର୍ଯ୍ୟକ୍ରମରୁ ସମ୍ପୂର୍ଣ୍ଣ ଦୂରେଇ ରଖାଯାଇଥିଲା । ଦଳର ପରାମର୍ଶଦାତା କୁଆଡ଼େ ପ୍ରଭାତଙ୍କ ବଦଳରେ ସୁଶାନ୍ତ ସିଂଙ୍କୁ ବରଗଡ଼ ଜିଲ୍ଲାର ଦାୟିତ୍ୱ ଦେଇଥିଲେ । ଜିଲ୍ଲା ସଂଗଠନରେ ଆଚାର୍ଯ୍ୟ ପରିବାରର ପ୍ରଭାବ ହ୍ରାସ ଓ ସୁଶାନ୍ତଙ୍କ ପ୍ରଭାବ ବୃଦ୍ଧି ପାଇ ଗତ ୩ବର୍ଷ ଧରି ଯେଉଁ ସବୁ ପଦକ୍ଷେପ ନିଆଯାଇଛି ତାହା କୁଆଡ଼େ ନବୀନଙ୍କୁ ମହଙ୍ଗା ପଡ଼ିଛି । ପରାମର୍ଶଦାତାଙ୍କ ଗୋଟିଚାଳନାକୁ ଭଣ୍ଡୁର କରିବା ଉଦେ୍ଦଶ୍ୟରେ ପ୍ରଭାତ କୁଆଡ଼େ ନବୀନ ନିବାସ ପରିବର୍ତେ ଦଳୀୟ ମୁଖ୍ୟାଳୟରେ ସୁପି୍ରମୋଙ୍କୁ ଭେଟିବାକୁ ଇଚ୍ଛା କରିଥିଲେ । ଆଉ ଶେଷମୁହୂର୍ତରେ ପ୍ରଭାତଙ୍କୁ ମନାଇବା ଦାୟିତ୍ୱ ନେଇଥିବା ନେତା ମଧ୍ୟ ଦଳୀୟ ମୁଖ୍ୟାଳୟକୁ କିଭଳି ସୁପି୍ରମୋ ଆସିବେ ତା’ର ବ୍ୟବସ୍ଥା କରାଇଥିଲେ । ପ୍ରଭାତଙ୍କୁ ମନାଇବା ପାଇଁ ସୁପ୍ରିମୋଙ୍କ ଦଳୀୟ ମୁଖ୍ୟାଳୟକୁ ଯିବା କୁଆଡ଼େ ପରାମର୍ଶଦାତା ଓ ତାଙ୍କର ଆଖିକାନ(ପୂର୍ବତନ ଯୁବମନ୍ତ୍ରୀ)ଙ୍କୁ ଠିକ୍ ଲାଗୁନଥିଲେ ବି ପୂର୍ବର ଭୁଲ୍ କାଳେ ସେମାନଙ୍କୁ ମହଙ୍ଗା ପଡ଼ିବ ସେହି ଆଶଙ୍କାରେ ଚୁପ୍ ରହିଥିବା ଖବର ରାଜଧାନୀରେ କାନରୁ କାନକୁ ଉଡି ବୁଲୁଛି ।
ସୁପି୍ରମୋଙ୍କୁ ଏୟୁଙ୍କ ନା
ବିଜେଡି ସୁପି୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦ କଳିକେଶ ସିଂହଦେଓ ଓ ତାଙ୍କ ପିତା ରାଜ୍ୟସଭା ସାଂସଦ ଏୟୁ ସିଂହଦେଓ ସାମିଲ ନହେବାକୁ ନେଇ ଏବେ ଖବର ବଲାଙ୍ଗୀରୁ ଭୂବନେଶ୍ୱର ଉଡୁଛି । ଉଡା ଖବର ହେଉଛି, ମୁଖ୍ୟମନ୍ତ୍ରୀଙ୍କୁ ଆଉଟ୍ଲୁକ୍ ପତି୍ରକା ‘ଶ୍ରେଷ୍ଠ ପ୍ରଶାସକ’ ସମ୍ମାନିତ କରିଥିବାରୁ ପାଟଣାଗଡ଼ର ସୁଭଦ୍ରା ଭବନଠାରେ ଏକ ନାଗରିକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଏହି ସଭାକୁ ସହରର ପ୍ରମୁଖ ବୁଦ୍ଧିଜୀବୀମାନେ ଆୟୋଜନ କରିଥିଲେ ମଧ୍ୟ ପ୍ରଚ୍ଛଦପଟ୍ଟରେ ବିଜେଡି ନେତାମାନେ ରହିଥିଲେ । ଆୟୋଜକଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ମଧ୍ୟ ଜିଲ୍ଲାର ସମସ୍ତ ବିଜେଡି ସାଂସଦ,ବିଧାୟକ ଓ ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଦଳ ମଧ୍ୟ ନିଜର ନେତାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ପରାମର୍ଶ ଦେଇଥିଲା । ପାଟଣାଗଡ଼ରେ ବିଜେଡି ପର୍ଯ୍ୟବେକ୍ଷକ ଥିବା ଜଣେ ନେତ୍ରୀଙ୍କୁ କୁଆଡ଼େ ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ଦାୟିତ୍ୱ ଦିଆଯାଇଥିଲା । ତେବେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆରମ୍ଭ ହେବାର ମାତ୍ର ୨ଘଂଟା ପୂର୍ବରୁ ଏୟୁ ଓ କଳିକେଶ କୁଆଡ଼େ ଏକ ବାଇକ୍ ର୍ୟାଲିର ଆୟୋଜନ କରିଥିଲେ । ସମ୍ପୃକ୍ତ ନେତ୍ରୀଙ୍କ ତଦାରଖରେ ଅନୁଷ୍ଠିତ ହେଉଥିବା ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଭଣ୍ଡୁର ଉଦେ୍ଦଶ୍ୟରେ ସାଂସଦ ପିତାପୁତ୍ର କୁଆଡ଼େ ନିଜ ସମର୍ଥକଙ୍କ ମାଧ୍ୟମରେ ଏହି ବାଇକ୍ ର୍ୟାଲି ଆୟୋଜନ କରିଥିଲେ । ପୂର୍ବରୁ ଏହି ବାଇକ୍ ର୍ୟାଲି ପାଇଁ କୌଣସି ପ୍ରସ୍ତୁତି କିମ୍ବା ସୂଚନା ବିଜେଡି କର୍ମୀମାନଙ୍କୁ ଦିଆଯାଇନଥିଲା । ତେବେ ସାଂସଦ ପିତାପୁତ୍ରଙ୍କ ଯୋଗୁ ଦଳୀୟ କର୍ମୀମାନେ କେଉଁ କାର୍ଯ୍ୟକ୍ରମରେ ସାମିଲ ହେବେ ସେ ନେଇ କୁଆଡ଼େ ଦ୍ୱନ୍ଦ୍ୱରେ ରହିଥିଲେ । ଅବଶ୍ୟ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଦଳର ଅନ୍ୟ ନେତାମାନେ ସାମିଲ ହୋଇ ଏହାକୁ ସଫଳ କରାଇଥିଲେ ତଥାପି ପିତାପୁତ୍ରଙ୍କ ସୁପି୍ରମୋଙ୍କ ପ୍ରତି ଏଭଳି ଅସହିଷ୍ଣୁତାକୁ ନେଇ ଏବେ ସବୁଠି ଗସିପ ଚାଲିଛି  ।
ନୂଆ ସମୀକରଣ
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏବେ ନୂଆ ସମୀକରଣକୁ କାର୍ଯ୍ୟକାରୀ ପାଇଁ କୁଆଡ଼େ ନିଷ୍ପତି ହୋଇଛି । ମୁଖ୍ୟ ପରାମର୍ଶଦାତା ତାଙ୍କ ଉପରେ ପଡ଼ୁଥିବା କାର୍ଯ୍ୟ ଚାପକୁ ହ୍ରାସ ପାଇଁ ଏଭଳି ରଣନୀତି ପ୍ରସ୍ତୁତ କରିଛନ୍ତି ବୋଲି ଶୁଣାଯାଉଛି ।କୁହାଯାଉଛି , ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଗୋପବନ୍ଧୁ ଦାସ ଓ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ କୁଆଡ଼େ ‘ପ୍ରଶାସନିକ କାର୍ଯ୍ୟ’ରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରଖାଯିବ । ଗୋପବନ୍ଧୁଙ୍କୁ ଦଳୀୟ ପାଣ୍ଠି ଦାୟିତ୍ୱ ଓ ପ୍ରଦୀପ୍ତଙ୍କୁ  ଦଳୀୟ ସଂଗଠନ ବ୍ୟାପାର ବୁଝିବାକୁ ଦିଆଯିବ । ଓଏସ୍ଡି ଡି.ଏସ୍.କୁଟ୍ଟେ ଓ ମନୋଜ କୁମାର ମିଶ୍ର, ଅତିରିକ୍ତ ସଚିବ ନିରଞ୍ଜନ ସାହୁ ଓ ଯୁଗ୍ମ ସଚିବ ଅବନୀକାନ୍ତ ପଟ୍ଟନାୟକ କୁଆଡ଼େ ‘ପ୍ରଶାସନିକ କାର୍ଯ୍ୟ’ ସମ୍ଭାଳିବେ । ରୂପାରୋଶନ ସାହୁଙ୍କୁ କେବଳ ‘ଅଭିଯୋଗ’ ଶୁଣାଣି ଓ ସମାଧାନ ଦାୟିତ୍ୱ ଏବଂ ଦିଲ୍ଲୀପ ମହାନ୍ତିଙ୍କୁ ‘ହିଞ୍ଜିଳି ନିର୍ବାଚନମଣ୍ଡଳୀ’ ଦାୟିତ୍ୱରେ ରଖାଯାଇଚି । ତେବେ ଏଭଳି ସମୀକରଣ ଯୋଜନାକୁ ନେଇ କୁଆଡ଼େ ଦଳ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଲାଣି । ପଂଚାୟତ ନିର୍ବାଚନରେ  ବିଜେଡି ଖରାପ ପ୍ରଦର୍ଶନ ପରେ ସାଧାରଣ ନିର୍ବାଚନରେ ଯେପିରି ତାର ପୁନାର୍ୱୃତ୍ତି ନହେବ ସେଥିନେଇ ନେତାଏ ଏବେଠୁ ସତର୍କ କରାଇଛନ୍ତି ବୋଲି କୁହାଯାଉଛି ।
ନେତାଙ୍କ ଲେଡି ପିଏ
ବିଜେପିର ଜଣେ ବରିଷ୍ଠ ନେତାଙ୍କର ଏବେ ସମସ୍ତ କାର୍ଯ୍ୟକ୍ରମ କୁଆଡ଼େ ଜଣେ ମହିଳା ନେତ୍ରୀ ସ୍ଥିର କରୁଛନ୍ତି ବୋଲି ଚର୍ଚ୍ଚା । ବିଜେପିର ଏହି ପଶ୍ଚିମା  ନେତାଙ୍କ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ, ତାଙ୍କ ନିର୍ବାଚନମଣ୍ଡଳୀର କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ବ୍ୟକ୍ତିଗତ କାର୍ଯ୍ୟର ଟିକିନିଖି ବିବରଣୀ କୁଆଡ଼େ ଏହି ନେତ୍ରୀ ରଖୁଛନ୍ତି । ବିଜେପିରେ  ସାମିଲ ହେବାପରେ କୁଆଡେ ତାଙ୍କର ପ୍ରଭାବ ବଢିଯାଇଛି  । ସମସ୍ତ ପ୍ରମୁଖ ସାଂଗଠନିକ କାର୍ଯ୍ୟରେ କୁଆଡ଼େ ତାଙ୍କ ଖୋଜା ପଡ଼ୁଛନ୍ତି । ଚର୍ଚ୍ଚା ହେଉଛି ଏହି ନେତ୍ରୀ କୁଆଡ଼େ ବିଜେପିର ଜଣେ ପ୍ରମୁଖ ନେତା ଓ ଏହି ନେତାଙ୍କ ମଧ୍ୟରେ ଯୋଗସୂତ୍ରକାରୀ ଭାବେ କାର୍ଯ୍ୟ କରୁଛନ୍ତି । ବରିଷ୍ଠ ନେତାଙ୍କର ଦୁର୍ବଳତାକୁ ପରଖି କୁଆଡ଼େ ଏହି ନେତ୍ରୀଙ୍କୁ ତାଙ୍କର ବିଭିନ୍ନ କାର୍ଯ୍ୟ ବୁଝିବା ଦାୟିତ୍ୱ ନ୍ୟସ୍ତ ହୋଇଛି । ଅବଶ୍ୟ ପୂର୍ବରୁ ମଧ୍ୟ ଅନ୍ୟ ଜଣେ ନେତ୍ରୀ କୁଆଡ଼େ ଏହି ବରିଷ୍ଠ ନେତାଙ୍କର ଅନୁରୂପ ଦାୟିତ୍ୱକୁ ତୁଲାଉଥିଲେ । କିନ୍ତୁ ତାଙ୍କଠାରୁ ନେତା ମହାଶହ ମୁହଁ ଫେରାଇ ନେଇ ଏବେ ଏହି ନୂଆ ନେତ୍ରୀଙ୍କୁ ନିଜର ସବୁ ଦାୟିତ୍ୱ ଦେଇଛନ୍ତି । ଉଡା ଖବର  ହେଉଛି ଏହି ନେତ୍ରୀଙ୍କୁ ଦଳ ଉପକୂଳ ଓଡିଶାରୁ ପ୍ରାର୍ଥୀ କରିବ ବୋଲି କୁଆଡେ ପ୍ରତିଶୃତିି ଦେଇଛି ।

ONA

Leave a Reply

Top