You are here
Home > ବଡ଼ଖବର > ଆଶୀର୍ବାଦଙ୍କୁ ଝଟକା: ଲଢ଼ିପାରିବେନି ନିର୍ବାଚନ

ଆଶୀର୍ବାଦଙ୍କୁ ଝଟକା: ଲଢ଼ିପାରିବେନି ନିର୍ବାଚନ

-ବାରବାଟୀ ଜମି ଦୁର୍ନୀତିର ତଦନ୍ତ କରିବ ସିବିଆଇ
କଟକ: ବାରବାଟୀ ଷ୍ଟାଡିୟମର ଜମି, ବାରବାଟୀ ପ୍ୟାଲେସ୍ ତତ୍ସଂଲଗ୍ନ ୨୩ଟି ଦୋକାନ ଘର ଓ ଅନ୍ୟାନ୍ୟ ଦୁର୍ନୀତି ନେଇ ଚାଲିଥିବା ମାମଲା ଉପରେ ଆଜି ସୁପ୍ରିମକୋର୍ଟ ଚୁଡାନ୍ତ ରାୟ ପ୍ରକାଶ କରିଛନ୍ତି । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ନିର୍ଦେଶନାମାରେ ଏହି ଦୁର୍ନୀତିର କେତେକ ନିର୍ଦିଷ୍ଟ ଅଭିଯୋଗ ଉପରେ ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି  । ସେହିପରି ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ର କର୍ମକର୍ତ୍ତା ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ମାନ୍ୟବର କୋର୍ଟ ଓସିଏ ପୂର୍ବତନ ସମ୍ପାଦନ ଆଶୀର୍ବାଦ ବେହେରାଙ୍କ ଉପରେ କଟକଣା ଜାରି କରିଛନ୍ତି । ଫଳରେ ପୂର୍ବରୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ରୁ ସେ ତଡା ଖାଇଥିଲେ, ଏବେ ଓଓଏରୁ । ଆଗକୁ ତାଙ୍କ ପାଇଁ ସମସ୍ୟା ଅଧିକ ଜଟିଳ ହେବ ବୋଲି କୁହାଯାଇପାରେ ।
 ୮୦ ଦଶକରେ ଆଶୀର୍ବାଦ ବାରବାଟୀକୁ ଏଂଟ୍ରି ମାରିଥିଲେ । ଧୀରେ ଧୀରେ କୌଶଳ କରି ସମ୍ପୂର୍ଣ୍ଣ କାୟା ବିସ୍ତାର କରିଥିଲେ । ଦୀର୍ଘ ୩୯ ବର୍ଷ ଧରି ସେ ବାରବାଟୀ ଷ୍ଟାଡିୟମ ତଥା ଓଡ଼ିଶା ଅଲିମ୍ପିକ ଆସୋସିଏସନ୍ ଏବଂ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସହ ସେ ଓତପ୍ରେତ ଭାବେ ଜଡିତ ।   ଫଳରେ କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ପରିସରକୁ ସେ ଚାଲିଆସିଥିଲେ । ବାରବାଟୀ ପ୍ୟାଲେସ୍ ସରକାରୀ ଜମି ଜବର ଦଖଲ ମାମଲାରେ ସେ ସୁପ୍ରିମକୋର୍ଟର ଚକ୍କର କାଟିଛନ୍ତି । ତଳ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ଉପର କୋର୍ଟର ଆଶ୍ରୟ ନେଇଥିଲେ । ହେଲେ ଉପରକୋର୍ଟରେ ମଧ୍ୟ ଆସ୍ୱସ୍ଥି ମିଳିଲାନି । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଓସିଏ ବେଆଇନ୍ ଭାବେ ହାତେଇଥିବା ୨.୭୦୩ ଏକର ଜମିକୁ ସରକାରୀ ଖାତାକୁ ଫେରାଇ ନେବାରେ ସଫଳ ହୋଇଥିଲା । ଅପର ପକ୍ଷରେ ସରକାରଙ୍କ ଠାରୁ ଲିଜ ସୁତ୍ରରେ ଓଓଏ ପାଇଥିବା ଜମିରେ ବେଆଇନ୍ ଭାବେ ବ୍ୟବସାୟୀକ ପ୍ରତିଷ୍ଠାନ ବାରବାଟୀ ପ୍ୟାଲେସ୍ ଓ ଦୋକାନ ଘର ବିବାଦ ସୁପ୍ରିମକୋର୍ଟକୁ ଯାଇଥିଲା ।  ଉଲ୍ଲେଖଯୋଗ୍ୟ ଯେ, କଟକରେ ବାରବାଟୀ ଷ୍ଟାଡିୟମ୍ ପ୍ରତିଷ୍ଠା ନେଇ ୧୯୫୦ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଅଲମ୍ପିକ୍ ଆସୋସିଏସନକୁ ୨୦ ଏକର ଜମି ଲିଜ୍ ସୂତ୍ରରେ ଦିଆଯାଇଥିଲା । କିନ୍ତୁ ୧୯୭୦ ଦଶକର ମଧ୍ୟ ଭାଗରେ ଏହି ଜମିକୁ ଲାଗି ରହିଥିବା ଅନ୍ୟ ଦୁଇ ଏକର ସରକାରୀ ଜମିକୁ ଜବରଦଖଲ କରାଯାଇଥିଲା । ୧୯୮୬ରେ ଆଶୀର୍ବାଦ ବେହେରା ଓଡ଼ିଶା ଅଲମ୍ପିକ୍ ଆସୋସିଏସନ୍ର ସମ୍ପାଦକ ହେବା ପରେ ଉପରୋକ୍ତ ଦୁଇ ଏକର ସରକାରୀ ଜମିକୁ ପୁଣି ସବ୍ଲିଜ୍ ଆକାରରେ ଦିଆଯାଇ ବିଭିନ୍ନ ବ୍ୟବସାୟିକ ସଂସ୍ଥା ପ୍ରତିଷ୍ଠା କରାଯାଇଥିଲା । ଓଡ଼ିଶା ଅଲମ୍ପିକ୍ ଆସୋସିଏସନ ପକ୍ଷରୁ କରାଯାଇଥିବା ଏଭଳି ଜବରଦଖଲକୁ ନେଇ ୨୦୦୦ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଜବରଦଖଲ ଉଚ୍ଛେଦ ମାମଲା ରୁଜୁ କରାଯାଇଥିଲା । ତେବେ ସମ୍ପାଦକ ଆଶୀର୍ବାଦ ଏକ ସିଭିଲ କୋର୍ଟରେ ଏହି ମାମଲାର ମୋଡ ନିଜ ସପକ୍ଷରେ ନେଇଥିଲେ । କିନ୍ତୁ ପରବର୍ତୀ ସମୟରେ ଅର୍ଥାତ୍ ୨୦୦୧ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଂପୃକ୍ତ ମାମଲାର ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା  । ଗତ ୨୦୧୪ ନଭେମ୍ବର ମାସରେ ହାଇକୋର୍ଟର ଏକ ଜଣିକିଆ ଖଣ୍ଡପୀଠ ଏହି ମାମଲା ସମ୍ପର୍କରେ ଆନ୍ତରୀଣ ନିଦେ୍ର୍ଦଶନାମା ଜାରି କରିବା ସହ ବାରବାଟୀ ପ୍ୟାଲେସ୍ ଏବଂ ତତ୍ ସଂଲଗ୍ନ ୨୩ଟି ଦୋକାନ ଗୃହକୁ ପ୍ରଶାସନ ପକ୍ଷରୁ ହାତକୁ ନିଆଯିବା ସହ ଓଡ଼ିଶା ଅଲମ୍ପିକ୍ ଆସୋସିଏସନ୍ କାରବାର ସମ୍ପର୍କରେ କ୍ରାଇମ୍ବ୍ରାଂଚ ତଦନ୍ତ କରିବା ନେଇ ନିଦେ୍ର୍ଦଶ ଦେଇଥିଲେ । ନିକଟରେ ଓଓଏ ଅଧିନରେ ଥିବା ୨ ଏକର ୭୦୩ ଡିସିମିଲ ଜମି ସରକାରୀ ଖାତାକୁ ଫେରିଥିଲା । ଇନଡୋର ଷ୍ଟାଡିୟମ ପ୍ରତିଷ୍ଠା କରିବା ଲାଗି ୧୯୭୯ ମସିହାରେ ଓଡ଼ିଶା ଅଲିମ୍ପିକ ଆସୋସିଏସନ ରାଜ୍ୟ ସରକାରଙ୍କ ଠାରୁ ୯୦ ବର୍ଷ ପାଇଁ ଏହି ଜମି ଲିଜ ସୁତ୍ରରେ ନେଇଥିଲେ । ତେବେ ଓଡ଼ିଶା ଅଲିମ୍ପିକ ଆସୋସିଏସନ ଏହି ଜମିରେ ଇନଡୋର ଷ୍ଟାଡିୟମ ପ୍ରତିଷ୍ଠା କରିବା ପରିବର୍ତେ ତାକୁ ଅନ୍ୟ ଉଦେଶ୍ୟରେ ବ୍ୟବହାର କରୁଥିବା ଜଣାପଡିଥିଲା । ଫଳରେ ୨୦୦୩ ମସିହାରେ ତତ୍କାଳିନ ଜିଲ୍ଲାପାଳ ସରଜମିନ ତଦନ୍ତ କରି ସମ୍ପୃକ୍ତ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବା ପାଇଁ ନିଦେ୍ର୍ଦଶ ଜାରିକଲେ । ସରକାରୀ ଜମି ଜବରଦଖଲ କରି ନିର୍ମାଣ ହୋଇଥିବା ଦୁଇଟି ଅଟ୍ଟାଳିକା ଏବଂ ଓଡ଼ିଶା କି୍ରକେଟ ଏକାଡେମୀକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ । ଏଥିନେଇ ପ୍ରଶାସନ ପକ୍ଷରୁ କି୍ରକେଟ ଆସୋସିଏସନକୁ ୭ଦିନିଆ ନୋଟିସ ଜାରି କରିଥିଲା । ଓଡିଶା କ୍ରିକେଟ୍ ଏକାଡେମୀ, ଅଭ୍ୟାସ ପଡିଆ, ସୁଇମିଂ ପୁଲ, ଆଦିକୁ ମାପଚୂପ କରି ଜିଲ୍ଲା ପ୍ରଶାସନ ନିଜ ଅଧିନକୁ ନେଇଛି । ଏହି ମାମଲାରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାର, ଓଡ଼ିଶା ଅଲିମ୍ପିକ ଆସୋସିଏନ (ଓଓଏ), ଓଡିଶା କ୍ରିକେଟ ଆସୋସିଏସନ(ଓସିଏ), ଭାରତୀୟ କ୍ରିକେଟ ନିୟନ୍ତ୍ରଣ ପରିଷଦ(ବିସିସିଆଇ) ଆଦିଙ୍କୁ ନୋଟିସ ଜାରି କରିଥିଲେ । ୧୯୪୯ ମସିହାରେ ଓଡିଶା ଅଲିମ୍ପିକ୍ ଆସୋସିଏସନ୍ (ଓଓଏ)ର ପ୍ରଥମ ସାଧାରଣ ସମ୍ପାଦକ ଭୈରବ ଚନ୍ଦ୍ର ମହାନ୍ତି ଓ କଟକ ଜିଲ୍ଲାପାଳଙ୍କ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିଲା ।  ଷ୍ଟାଡିୟମ ପାଇଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୨୦ ଏକର ୮୦୮ ଡିସିମିଲ ଓ ପରେ ୨ ଏକର ୭୦୫ ଡିସିମିଲ ଜମି ଓଓଏକୁ ଲିଜ୍ ଦେଇଥିଲେ । ଚୁକ୍ତିରେ ରହିଥିବା ନିୟମ ମୁତାବକ କେବଳ କ୍ରୀଡ଼ାର ବିକାଶ ପାଇଁ ଅଲିମ୍ପିକ୍ ଆସୋସିଏସନ୍ ଏହି ଜମିକୁ ବ୍ୟବହାର କରିପାରିବ । ମାତ୍ର ରାଜ୍ୟ କ୍ରୀଡ଼ା ବିଭାଗ ଓ କଟକ ଜିଲ୍ଲାପାଳଙ୍କ ଅଗୋଚରରେ ଓଓଏ ୨୫ ବର୍ଷ ପାଇଁ ଉକ୍ତ ଷ୍ଟାଡିୟମ ଜମିକୁ ଓସିଏକୁ ସବ୍ଲିଜ ଦେବା ପାଇଁ ଆଉ ଏକ ଚୁକ୍ତି କରିଥିଲା । ୨୦୦୧ ଅଗଷ୍ଟ ୧୩ରେ ହୋଇଥିବା ଏହି ଚୁକ୍ତିପତ୍ରରେ ଓଓଏର ତକ୍ରାଳୀନ ସଭାପତି ବିଭୁପ୍ରସାଦ ସରକାର, ସମ୍ପାଦକ ଆଶୀର୍ବାଦ ବେହେରା ଓ ଓସିଏ ତରଫରୁ ସଭାପତି ପ୍ରଭାତ ମିଶ୍ର ଓ ସମ୍ପାଦକ ଆଶୀର୍ବାଦ ବେହେରା ସ୍ୱାକ୍ଷର କରିଥିଲେ । ଅର୍ଥାତ ଉଭୟ ଆସୋସିଏସନରେ ଆଶୀର୍ବାଦ ସଂପାଦକ ଥାଇ ଜମିକୁ ଅଦଳବଦଳ କରିଥିଲେ । ଉକ୍ତ ଚୁକ୍ତି ବଳରେ ବିସିସିଆଇଠାରୁ ଓସିଏ ୧୧୬ କୋଟିରୁ ଅଧିକ ଟଙ୍କା ଆଣିଛି । ଏହାବାଦ ୧୯୮୯ରୁ ବାରବାଟୀ ଷ୍ଟାଡିୟମ୍ ଲିଜ ଜମିର ନବୀକରଣ ହୋଇନାହିଁ । ତେବେ ଆଶୀର୍ବଦଙ୍କ ଭିତିରିଆଚାଲ ଏବେ ସ୍ପଷ୍ଟ ଜଳଜଳ ହୋଇ ଦିଶୁଛି ।

ONA

Leave a Reply

Top