You are here
Home > ଏଣ୍ଟରଟେନମେଣ୍ଟ > ଆଖି ମିଟିକା

ଆଖି ମିଟିକା

ମୂଳ ଲେଖକ: ଆଲେକଜାନ୍ଦ୍ର ରସ୍କିନ
ଅନୁବାଦ: ସମ୍ପଦ ମହାପାତ୍ର
ବାପାଙ୍କୁ ପିଲାଦିନେ କ୍ଷୀର, ଚା, ପାଣି ଏବଂ ମାଛ ତେଲ ପିଇବାକୁ ମିଳୁଥିଲା । ପିଲାଙ୍କ ବଢିବା ପାଇଁ ମାଛ ତେଲ ସବୁଠୁ ଭଲ ବୋଲି ମନେ କରାଯାଉଥିଲା । କିନ୍ତୁ ଏହାର ସ୍ୱାଦ ଅତି ଖରାପ ଥିଲା । ବାପା ଭାବୁଥିଲେ ମାଛ ତେଲଠୁ ଆଉ ଗନ୍ଧିଆ ଦୁନିଆରେ କିଛି ନାହିଁ । କିନ୍ତୁ ତାଙ୍କ ଧାରଣା ଭୁଲ ଥିଲା ।
ଥରେ ଖରାଦିଲେ ବାପା ଘର ବାହାରେ ଖେଳୁଥିଲେ । ବହୁତ ଗରମ ହେଉଥିଲା । ବାପା ଖେଳି ଖେଳି ଥକି ଯାଇଥିଲେ, ତାଙ୍କୁ ଶୋଷ ଲାଗୁଥିଲା । ସେ ଘରକୁ ଦୌଡିଗଲେ । ଘରେ ସମସ୍ତେ କାମରେ ଲାଗିଥିଲେ । କଚୋଡି ଛଣା ଚାଲିଥିଲା । ଘରକୁ ଆସିଥିବା ଅତିଥିଙ୍କ ପାଇଁ ଖାଇବା ଟେବଲ୍ ସଜାଉଥିଲେ । ତେଣୁ ବାପାଙ୍କୁ ସୁରେଇରୁ ପାଣି କାଢି ପିଇବା କେହି ଦେଖି ପାରିଲେନି । ସେହି ସୁରେଇରେ ଫୁଟାପାଣିକୁ ଥଣ୍ଡା କରି ରଖା ଯାଉଥିଲା । ବାପା ଅଧା ଗିଲାସ ପାଣି ଗୋଟିଏ ନିଶ୍ୱାସରେ ଢକଢକ କରି ପିଇଗଲେ, ଏଥିରେ ତାଙ୍କ ଦମ ବାହାରିଗଲା । ବାପା ବୁଝିପାରିଲେନି କଣ ହେଲା ।
ବାପାଙ୍କୁ ଲାଗିଲା ଯେମିତି ସେ କିଛି ଏସିଡ୍ ପିଇ ଦେଇଛନ୍ତି । ବାପା ଭାବିଲେ ପାଣି ଠିକ ଅଛି କିନ୍ତୁ ତାଙ୍କର କିଛି ଗୋଟାଏ ହୋଇଗଲା । ବାପା ଡରିଗଲେ, ଭାବିଲେ ସେ ମରିଯିବେ । ଏତିକିବେଳେ ବାପା ଏତେ ଜୋରରେ ପାଣି କଲେ ଯେ ସମସ୍ତେ ତାଙ୍କ ପାଖକୁ ଦୌଡି ଆସିଲେ ।
ବାପା ଶ୍ୱାସ ନେଉଥିଲେ ଆଉ ତାଙ୍କ ଦମ୍୍ ବାହାରି ଯାଉଥିଲା, ଲାଗୁଥିଲା ମୁହଁରେ ଯେମିତି ନିଆ ଲାଗିଛି । ତାଙ୍କ ଅବସ୍ଥା ସେତେବେଳକୁ ଖରାପ ହୋଇ ଚାଲିଥାଏ କିନ୍ତୁ କେହି କିଛି ବୁଝି ପାରୁନଥାନ୍ତି କଣ ହେଲା ।
‘ହାୟ, ଏଇଟାର ଦେହ ଖରାପ ହୋଇଗଲା!’ ଜେଜେମାଆ ପାଟି କଲେ । ‘ଏଇଟା ମିଛରେ ବାହାନା କରୁଛି!’ ଜେଜେବାପା ପାଟି କରି କହିଲେ ।
ସେତିକିବେଳକୁ ଆୟା ଆସିଲେ ଦେଖିବାକୁ । ସେ ତୁରନ୍ତ ବୁଝିଗଲେ କଣ ହୋଇଛି ।
‘ଇଏ ଭୋଦକା (ରୁଷ ଦେଶର ଏକ ମଦ) ପିଇଛି!’ଆୟା କହିଲେ । ‘ଏ ସୁରେଇରେ ଭୋଦକା ଥିଲା!’
ଏତିକି ଶୁଣି ସମସ୍ତେ ପାଟି ତୁଣ୍ଡ କରିବାକୁ ଲାଗିଲେ ।
‘ଡାକ୍ତର ଡାକ!’ ଜେଜେମାଆ ପାଟି କରି କହିଲେ ।
‘ମୁଁ ଏଇଟାର ଚମଡା ଉତାରି ଦେବି!’ ଜେଜେବାପା ଚିଲେଇଲେ ।
‘ତାକୁ କିଛି ଖାଇବାକୁ ଦିଅ!’ ଆୟା କହିଲେ
ବାପା ଗୋଟେ ସାଣ୍ଡଉଇଚ୍ ଚୋବେଇ ଚୋବେଇ କହିଲେ, ‘ମୁଁ ଭାବୁଛି ଭୋଦକା ପିଇଲେ ତାକତ ଆସିବ!’
ଅଚାନକ ବାପାଙ୍କ ଦେହ ଆହୁରି ଖରାପ ହେବାରେ ଲାଗିଲା । ସେ ଚଟାଣରେ ବସି ପଡିଲେ । ତାଙ୍କ ମୁଣ୍ଡ ଘୁରାଇବାକୁ ଲାଗିଲା ।
ତାପରେ କଣ ହେଲା ବାପାଙ୍କର ଆଉ ମନେ ନାହିଁ । ଅନ୍ୟମାନଙ୍କର କହିବା କଥା ସେ ଦିନ ତମାମ ଶୋଇ ରହିଥିଲେ । ସଂଧ୍ୟା ବେଳକୁ ଦେହ ଟିକିଏ ଭଲ ଲାଗିଲା । ଯେତେବେଳେ ଅତିଥି ମାନେ ଘରକୁ ଆସିଲେ ଏବଂ ଭୋଦକା ପିଇବାକୁ ଲାଗିଲେ, ସେତେବେଳେ ବାପା ଖଟ ଉପରେ ଶୋଇ ସେସବୁ ଦେଖୁଥାଆନ୍ତି । ସେମାନଙ୍କ ଉପରେ ବାପାଙ୍କର ଦୟା ହେଉଥାଏ । କାରଣ ସେ ଜାଣିଥିଲେ ଆଉ ଟିକିଏ ପରେ ସେମାନଙ୍କ ଅବସ୍ଥା କେତେ ଖରାପ ହୋଇଯିବ । ସେ ଜଣେ ଅତିଥିଙ୍କୁ ଏକଥା କହି ବି ପକାଇଲେ, ‘ଏ ଭୟାନକ ଜିନିଷ ପିଅନି!’
ତା ପରଦିନ ସକାଳେ ବାପାଙ୍କ ଦେହ ପୂରା ଠିକ ହୋଇଗଲା । ହେଲେ ସେ ସୁରେଇରୁ ସେ ଆଉ କେବେ କିଛି ପିଇଲେନି । ଆଜି ବି ଯଦି ସେ ଭୋଦକା ଦେଖନ୍ତି ତେବେ ତାଙ୍କ ମୁହଁର ରଙ୍ଗ ବଦଳିଯାଏ । ବାପା ଏ କାହାଣୀକୁ ପ୍ରାୟ ଶୁଣାଉଥିଲେ, ଆଉ ତାପରେ କହୁଥିଲେ, ‘ମୁଁ ତ ସେବେଠୁ ପିଇବା ଛାଡି ଦେଲି!’

ONA

Leave a Reply

Top