You are here
Home > ଏକ୍ସକ୍ଲୁସିଭ୍ > ଆକ୍ସନ ମୁଡରେ ନାହାନ୍ତି ସୁପ୍ରିମୋ

ଆକ୍ସନ ମୁଡରେ ନାହାନ୍ତି ସୁପ୍ରିମୋ

ତୁଣ୍ଡ ଖୋଲିଲେ ମୁଣ୍ଡ ଗଡୁଥିଲା । ଲକ୍ଷ୍ମଣ ରେଖା ଟପିଲେ ତୁରନ୍ତ କାଯ୍ୟାନୁଷ୍ଠାନ ହେଉଥିଲା । ଇମେଜରେ ଟିକେ ବି ଦାଗ ଲାଗିଲେ ଫଟା ଫଟ ଆକ୍ସନ ମୁଡକୁ ଆସୁଥିଲେ ବିଜେଡି ସୁପ୍ରିମୋ । ହେଲେ ଏବେ ସମୟ ବଦଳିଛି । ଆଗ ଭଳି ଆକ୍ସନ ମୁଡରେ ନାହାନ୍ତି ନବୀନ । ଏମିତିକି ତୁଣ୍ଡ ହୁଡିଲେ ବି ଆଉ ଆକ୍ସନ ମୁଡକୁ ନଆସି ନିରବ ରହୁଛନ୍ତି ନବୀନ । ଆଗ୍ରେସିଭ ହେବାକୁ ନବୀନ ସାହସ ଜୁଟାଇ ପାରୁନାହାନ୍ତି ନା ରାଜ୍ୟର ପରିବର୍ତ୍ତିତ ରାଜନିତୀ ନବୀନଙ୍କୁ ସବୁ ହଜମ କରିବାକୁ ବାଧ୍ୟ କରୁଛି….

ଭୁବନେଶ୍ୱର: ବାଟ ହୁଡିଲେ ବିଜେଡି ନେତାଙ୍କ ପାଦରେ କଣ୍ଟା ଫୁଟୁ ଥିଲା । ପାଟିରୁ ବେ-ଲାଇନ କଥା ପଦେ ବାହାରୁଥିଲେ ସଙ୍ଗେ ସଙ୍ଗେ କାରଣ ଦର୍ଶାଇବାକୁ ପଡୁଥିଲା । ଦଳ ଓ ସରକାର ଓ କେଉଁ ନେତାଙ୍କ ବିଷୟରେ କିଛି କହିବାକୁ ହେଲେ ସୁପ୍ରିମୋଙ୍କ ପରାମର୍ଶ ନେବାକୁ ହେଉଥିଲା । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦଳ ଉପରେ କର୍ତୃତ୍ୱ ଏବେ ପୂର୍ବ ତୁଳନାରେ ହ୍ରାସ ପାଇବାରେ ଲାଗିଛି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା । ମନ୍ତ୍ରୀ ଓ ସାଂସଦମାନେ ପାର୍ଟିଲାଇନ୍ରୁ ଦୂରେଇ ଯାଇ ଗଣମାଧ୍ୟମକୁ ବିବୃତି ଦେବା ଓ ସାଂଗଠନିକ ଆବଶ୍ୟକତାର ଆଳ ଦେଖାଇ କିଛି ଯୁବ ନେତା ନିଜର ଅନୁଗତଙ୍କୁ ଥଇଥାନ କରିବାର କୌଶଳ ପରୋକ୍ଷରେ ଦଳରେ ସୁପ୍ରିମୋଙ୍କ କର୍ତୃତ୍ୱ ପୂର୍ବ ତୁଳନାରେ କମିବାରେ ଲାଗିଥିବାର ପ୍ରମାଣିତ କରୁଛନ୍ତି ବୋଲି୍ ପଲିଟିକାଲ କରିଡରରେ ଚର୍ଚ୍ଚା ।
ବିଜେଡି ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ, ପୂର୍ବରୁ ପାର୍ଟିଲାଇନ୍ରୁ ଦୂରେଇ ଯାଇ ଟିପ୍ପଣୀ ଦେଉଥିବା ନେତାମାନଙ୍କ ବିରୋଧରେ ସଙ୍ଗେସଙ୍ଗେ କାର୍ଯ୍ୟାନୁଷ୍ଠାନ ହେଉଥିଲା ଅବା ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଉଥିଲା । ମାତ୍ର ଏବେ ସେଭଳି ସ୍ଥିତି ଆଉ ନାହିଁ । ବିଜେପିର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ଓ ଅଧିକାଂଶ ନେତା ଗୁପ୍ତ ଭାବେ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ସମ୍ପର୍କରେ ରହିଥିବାର ଆଭାସ ପାଇବା ପରେ ବିଜେଡି ସୁପ୍ରିମୋ କୁଆଡ଼େ ଦଳୀୟ ନେତାମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁଣ୍ଠାବୋଧ କରୁଛନ୍ତି । ସାଂସଦ ପିନାକୀ ମିଶ୍ରଙ୍କ ଦ୍ୱାରା ସାର୍ବଜନୀନ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆବଶ୍ୟକତାଠୁ ଅଧିକ ପ୍ରଶଂସା ହେଉ ଅବା ବରିଷ୍ଠ ଉପସଭାପତି ତଥା ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଦ୍ୱାରା କଂଗ୍ରେସ ସହ ମେଣ୍ଟ ଓ ଅଙ୍ଗନୱାଡିଙ୍କୁ ତାତ୍ସଲ୍ୟ ଅବାପୁଣି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦ୍ୱାରା ଦଳୀୟ କାର୍ଯ୍ୟକ୍ରମରେ ଅଶାଳୀନ ଟିପ୍ପଣୀ ଆଦି ଭଳି ଘଟଣାରେ ବିଜେଡି ସୁପ୍ରିମୋ ନିଜକୁ ଦୂରେଇ ରଖିଛନ୍ତି । ବିଜେଡିର ନୀତି ଓ ରଣନୀତି ଏଭଳି ପ୍ରକାରର ହୋଇନଥିଲେ ମଧ୍ୟ ଦଳର ଏହି ନେତାମାନଙ୍କ ବୟାନକୁ ନେଇ ବିଜେଡି ବ୍ୟାକ୍ଫୁଟ୍ରେ ରହିବାକୁ ବାଧ୍ୟ ହେଉଛି । ସାଂସଦ ବୈଜୟନ୍ତ ପଣ୍ଡା ଗତ ଦେଢବର୍ଷ ପୂର୍ବରୁ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କ ପ୍ରତି ପରୋକ୍ଷରେ ଦୁର୍ବଳତା ପ୍ରକାଶ କରି ସଂସଦୀୟ ପଦବୀ ହରାଇବାର ନଜିର ରହିଛି । ତାଙ୍କ ବିରୋଧରେ ବିଜେଡି ସୁପ୍ରିମୋ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏପରିକି ବିଜେଡି ସଂସଦୀୟ ଦଳ ନେତା ଭତୃହରି ମହତାବଙ୍କୁ ମଧ୍ୟ ବିଜେପିକୁ ସୁହାଇବା ଭଳି ପରୋକ୍ଷ ପ୍ରଶଂସା କରିବା କାରଣରୁ ଦଳ ପକ୍ଷରୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଥିଲା । କିନ୍ତୁ ପାର୍ଟିଲାଇନ୍ରୁ ଦୂରେଇ ଯାଇ ଏବେ ଦଳର ସାଂସଦ ପିନାକୀ ମିଶ୍ରଙ୍କ ଖୁଲମ୍ଖୁଲା ପ୍ରଶଂସା ଓ ଡାକ୍ତର ରାଉତଙ୍କ ମେଂଟ ପ୍ରସଙ୍ଗରେ ବୟାନ ଦେବା, ସାଂସଦ ଅଙ୍ଗନ ଉଦୟ ସିଂହଦେଓ ଓ କଳିକେଶ ସିଂହଦେଓ ଦଳୀୟ ନିଷ୍ପତି ବିରୋଧରେ ଯାଇ ନିଜ ଜିଲ୍ଲାରେ ସମାନ୍ତରାଳ କାର୍ଯ୍ୟକ୍ରମ ଆୟୋଜନ କରିବା, ମହାରଥୀ ସାର୍ବଜନୀନ ଭାବେ ଅଶାଳୀନ ଟିପ୍ପଣୀ ଦେବା ଆଦି ଘଟଣାରେ ସାମାନ୍ୟତମ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ସୁପ୍ରିମୋ ସାହସ କରିପାରିନାହାନ୍ତି । ସମାନ କାରଣ ପାଇଁ ବୈଜୟନ୍ତଙ୍କୁ ସଂସଦୀୟ ଦଳର ମୁଖପାତ୍ର ପଦବୀ ହରାଇବାକୁ ପଡ଼ିଥିବାବେଳେ ଭତୃହରିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା । ଅବଶ୍ୟ ଭତୃହରି ଏପର୍ଯ୍ୟନ୍ତ କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିନାହାନ୍ତି ଓ ପୂର୍ବଭଳି ତୁଣ୍ଡ ଖୋଲୁନାହାନ୍ତି । କିନ୍ତୁ ପିନାକୀ, ଦାମ, ମହାରଥୀ ଓ ସିଂହଦେଓ ପିତାପୁତ୍ରଙ୍କ କାର୍ଯ୍ୟ ପାର୍ଟିଲାଇନ୍ରୁ ବାହାରେ ହୋଇଥିବା ସତ୍ୱେ କାହିଁକି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନି ତାକୁ ନେଇ ଚର୍ଚ୍ଚା । ବିଜେଡିର ଜଣେ ବରିଷ୍ଠ ନେତାଙ୍କ କହିବାନୁସାରେ ଏହି ନେତାମାନେ ଦେଇଥିବା ବୟାନ ପାଇଁ ସେମାନଙ୍କ ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ କରିବା ସ୍ଥିତିରେ ଏବେ ବିଜେଡି ନାହିଁ । ପିନାକୀଙ୍କୁ ଦିଲ୍ଲୀରେ ବୈଜୟନ୍ତଙ୍କ ବିକଳ୍ପ ଭାବେ ରଖାଯାଇଥିବାବେଳେ ଏଠି ଡାକ୍ତର ରାଉତଙ୍କୁ ବିଜେପିକୁ ମୁକାବିଲା ପାଇଁ କ୍ରାଇସିସ୍ ମ୍ୟାନେଜର ଭାବେ ବ୍ୟବହାର କରାଯାଉଛି । ବିଜେପିର କୌଣସି ନେତା ଯଦି ମୁଖ୍ୟମନ୍ତ୍ରୀ ଅବା ବିଜେଡି ସୁପ୍ରିମୋ ଓ ସରକାରଙ୍କୁ ସିଧାସଳଖ ସମାଲୋଚନା କରୁଛନ୍ତି ତାକୁ ମୁକାବିଲା ପାଇଁ ଡାକ୍ତର ରାଉତଙ୍କୁ ଆଗକୁ ଛଡାଯାଉଛି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଓଡ଼ିଶାରେ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସରକାରକୁ ସମାଲୋଚନା କରୁଥିବାବେଳେ ଏହାକୁ ଗଣମାଧ୍ୟମରେ ନୂନ୍ୟ କରିବା ପାଇଁ ଡାକ୍ତର ରାଉତ ‘କଂଗ୍ରେସ ସହ ମେଂଟ’ ଭଳି ଅପ୍ରାସଙ୍ଗିକ ଟିପ୍ପଣୀ ଦେଇଥିଲେ । ଯାହାକୁ ଗଣମାଧ୍ୟମ ୪ଦିନ ଧରି ଚର୍ଚ୍ଚାରେ ରଖିଥିଲା ତଥା ଏହି ଅବଧି ମଧ୍ୟରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ସରକାର ପ୍ରତି କରାଯାଉଥିବା ସମସ୍ତ ସମାଲୋଚନା ଗଣମାଧ୍ୟମରେ ବିଶେଷ ପ୍ରଚାର ହୋଇପାରିନଥିଲା । ବିଜେଡି ଏବେ କାର୍ଯ୍ୟାନୁଷ୍ଠାନ ପରିବର୍ତେ ନିଜ ନେତାମାନଙ୍କୁ ମ୍ୟାନେଜ୍ କରିବାକୁ ଅଧିକ ଗୁରୁତ୍ୱ ଦେଉଛି । ବିଜେପି ନିଜର ସଂଗଠନକୁ ବୃଦ୍ଧି ପାଇଁ ବିଜେଡି ଓ କଂଗ୍ରେସ ନେତାମାନଙ୍କୁ ଆମଦାନୀ କରିବାରେ ଲାଗିଥିବାରୁ ବିଜେଡି ସୁପ୍ରିମୋ ମଧ୍ୟ ଏବେ ଦଳୀୟ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ନିର୍ବାଚନ ପୂର୍ବରୁ କୌଣସି ନେତାଙ୍କୁ ହାତ ଛଡ଼ା କରିବା ମୁଡ୍ରେ ନାହାନ୍ତି ।
ସେହିଭଳି ଦଳର କିଛି ଯୁବନେତା ଏବେ ନିଜର ପତିଆରା ବୃଦ୍ଧି ପାଇଁ ନିଜ ଅନୁଗତଙ୍କୁ ଥଇଥାନ କରିବାରେ ଲାଗିଛନ୍ତି । ଅନୁଗତଙ୍କୁ ରାଜନୀତିକ ପଦପଦବୀରେ ଅବସ୍ଥାପିତ କରିବା ସହ ସେମାନେ ଦାୟିତ୍ୱରେ ରହିଥିବା ଜିଲ୍ଲାଗୁଡ଼ିକରେ ବିଭିନ୍ନ ପ୍ରକାରର ଠିକା କାର୍ଯ୍ୟକୁ ଏହି ଅନୁଗତମାନଙ୍କ ମାଧ୍ୟମରେ କାର୍ଯ୍ୟାନ୍ୱୟନ କରିବାରେ ଲାଗିଛନ୍ତି । ଏଥିପାଇଁ ସେମାନେ ସୁପ୍ରିମୋଙ୍କ ଉପରେ ଚାପ ପକାଇ ନିଜର କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେଉଥିବା ଦଳୀୟ ମହଲରେ ଚର୍ଚ୍ଚା । ମିଳିଥିବା ସୂଚନା ଅନୁସାରେ ଦଳୀୟ ନେତାମାନଙ୍କୁ ଆଦିବାସୀ ବିକାଶ ପରିଷଦରେ ଥଇଥାନ କରିବାର ପ୍ରକ୍ରିୟା ଶେଷ ହେବାପରେ ବାକି ନେତାଙ୍କୁ ବିଭିନ୍ନ ନିଗମ ଓ ସରକାରୀ ସଂସ୍ଥାରେ ଅବସ୍ଥାପିତ କରାଯିବ । ତେବେ ନିଗମ ଓ ସରକାରୀ ସଂସ୍ଥାରେ ଥଇଥାନ ପାଇଁ ଯେଉଁମାନଙ୍କ ନାଁ ପ୍ରସ୍ତାବିତ ସୂଚୀରେ ରହିଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ନିଜକୁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ପାଇଁ ଦାବିଦାର ମନେ କରୁଛନ୍ତି । ସେମାନେ ଦଳର ତଥାକଥିତ ଯୁବନେତାଙ୍କ ମାଧ୍ୟମରେ ଏଥିପାଇଁ ଲବି ମଧ୍ୟ ଜୋରଦାର କରୁଛନ୍ତି । ଏସବୁ ଜାଣିଲେ ମଧ୍ୟ ସେମାନଙ୍କର ଏଭଳି ଲବି ଉପରେ ଅଙ୍କୁଶ ଲଗାଇବା କିମ୍ବା ସେମାନଙ୍କୁ ତାଗିଦ୍ କରିବାକୁ ସୁପ୍ରିମୋ ସାହସ କରିପାରୁନାହାନ୍ତି ବୋଲି ଚର୍ଚ୍ଚା ।

ONA

Leave a Reply

Top