You are here
Home > ଅଧିକ ଖବର > ଆଉ ଜଣେ ଯଶୋଦା

ଆଉ ଜଣେ ଯଶୋଦା

ବୈପାରିଗୁଡ଼ା: କାହାକୁ ମାଆ ପର ସଂସାର କରିବାକୁ ଆଉ ଜଣଙ୍କ ହାତ ଧରିଲା । ଆଉ ବାପା ଚାଲିଗଲେ ଆରପାରିକି । ଆଉ କିଏ ବାପା ମାଆ ଛେଉଣ୍ଡ ହୋଇଗଲା । ଏପରି ୩ ଅନାଥଙ୍କ ପାଇଁ ଯଶୋଦା ପାଲଟିଛନ୍ତି କୋରାପୁଟ ଜିଲ୍ଲା ବୈପାରିଗୁଡା ଅଞ୍ଚଳର ମଇନା ପାଙ୍ଗୀ । ଝୁମ୍ପୁଡି ଘରେ ରହୁଥିବା ମଇନା ତିନି ଜଣଙ୍କୁ ନିଜ ପାଖରେ ଆଣି ରଖିଛନ୍ତି । ଗାଁ ଗାଁ ବୁଲି ବାଉଁଶ ତିଆରି ସାମଗ୍ରୀ ବିକ୍ରି ଯେଉଁ ଦୁଇ ପଇସା ପାଉଛନ୍ତି ସେଥିରେ ତେଲଲୁଣର ସଂସାର ଚାଲିଛି ।
ବୈପାରିଗୁଡ଼ା ବ୍ଲକ୍ ଅନ୍ତର୍ଗତ ମାଡ଼ପଡ଼ା ପଞ୍ଚାୟତ ଦଳପୁର ଗାଁର ମଇନା ପାଙ୍ଗି । ମଇନାଙ୍କ ବୟସ ଏବେ ୫୦ବର୍ଷ । ହେଲେ ମଇନା ୩ ଜଣ ଅନାଥ ପିଲାଙ୍କୁ ଆଣି ନିଜ ଘରେ ଆଶ୍ରୟ ଦେଇଛନ୍ତି । ଦୁଇ ଜଣ ଶିଶୁ କବିତା ପାଙ୍ଗି (୭), ଆକାଶ ପାଙ୍ଗି (୫) ଏବଂ  ଝିଅ କୁନି ପାଙ୍ଗି (୧୮)ଙ୍କୁ ନିଜର ପୁଅ ଝିଅ ଭଳି ଘରେ ରଖି ଲାଳନପାଳନ କରୁଛନ୍ତି । ମଇନାଙ୍କ କହିବା ଅନୁସାରେ କୁନିଙ୍କର ବାପା ଓ ମାଆ ମରିଯିବାରୁ ସେ ଏକା ହୋଇଯାଇଥିଲେ । ଯାହା ଫଳରେ କୁନିଙ୍କୁ ଆଣି ଘରେ ଆଶ୍ରୟ ଦେଇଥିଲି । ସେହିପର କବିତା ଓ ଆକାଶର ବାପା କୁଲି କାମ କରିବାକୁ ଆନ୍ଧ୍ର ପ୍ରଦେଶକୁ ଯାଇଥିଲେ ଏବଂ ସେଠାରେ ତାଙ୍କର ମୃତୁ୍ୟ ହୋଇଥିଲା । ଏହା ପରେ ପରେ ମାଆ ଆଉ ଜଣେ ବ୍ୟକ୍ତିଙ୍କ ସହିତ ବିବାହ କରି ୨ ଜଣ ଛୋଟ ଛୁଆଙ୍କୁ ଛାଡ଼ି ଚାଲିଯାଇଥିଲେ । ଏହି ଦୁଃଖ ସହି ନପାରି କବିତା ଓ ଆକାଶଙ୍କୁ ମଧ୍ୟ ଘରେ ଆଶ୍ରୟ ଦେଇଥିଲା । ମଇନା  ହାଟ ଓ ଗାଁ ବୁଲି ବାଉଁଶ ତିଆରି ସାମଗ୍ରୀ ବିକ୍ରି କରି ଏହି ଅନାଥ ପିଲାମାନଙ୍କର ପ୍ରତିପୋଷଣ କରୁଥିବା କହିଛନ୍ତି । ଏକ ଛୋଟ ଚାଳ ଝୁମ୍ପୁଡି ଘରେ ସେମାନେ ରହୁଛନ୍ତି । ହେଲେ ଏଯାଏ ସରକାରଙ୍କ ପକ୍ଷରୁ ତାଙ୍କୁ କୌଣସି ମିଳିପାରିନାହିଁ । ସରକାରଙ୍କ ପକ୍ଷରୁ ଅନାଥ ଶିଶୁଙ୍କ ପାଇଁ ନାନା ଯୋଜନା ରହିଛି ମାତ୍ର ବ୍ଲକ୍ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁ ତାହା ଫଳପ୍ରଦ ହୋଇପାରୁନାହିଁ । ସରକାର ଆଗକୁ ଏହି ଅନାଥ ଶିଶୁ ଓ ମଇନାଙ୍କ ପାଇଁ କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
ମଇନା ତିନି ଅନାଥଙ୍କୁ ଘରେ ରଖି ନିଜ ମହନୀୟତାର ପରିଚୟ ଦେଇଛନ୍ତି । ତାଙ୍କର ଏପରି ପଦକ୍ଷେପ ଯୋଗୁଁ ସେ ଅଞ୍ଚଳବାସୀଙ୍କ ପ୍ରଶଂସର ପାତ୍ର ପାଲଟିଛନ୍ତି ।

ONA

Leave a Reply

Top