You are here
Home > Breaking News > ଅସ୍ଥିର ନବୀନ !

ଅସ୍ଥିର ନବୀନ !

ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗରେ ନବୀନ ପଟ୍ଟନାୟକ କି ଆଭିମୁଖ୍ୟ ଗ୍ରହଣ କରିବେ ତାକୁ ନେଇ ଏବେବି ଦ୍ୱନ୍ଦ୍ୱରେ । କେବେ ତାଙ୍କ ନିଦେ୍ର୍ଦଶରେ ବିଜେଡି ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ଦେଉଛି ପୁଣି କେବେ ବିଧାନସଭାକୁ ଅଚଳ କରି ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଉଛି । ସଂସଦରେ ଗତ ଜୁଲାଇ ୨୭ରେ ବିଜେଡି ସାଂସଦଙ୍କ ଜରିଆରେ ମହାନଦୀ ପ୍ରସଙ୍ଗକୁ ନେଇ ସରଗରମ ଆଲୋଚନା ମଧ୍ୟ କରାଇଛନ୍ତି ନବୀନ । ଆଉ ତଥ୍ୟ ସଂଗ୍ରହ କରିବା ପାଇଁ ବିଜେଡିର ଜୁମ୍ବୋ ଟିମ ଛତିଶଗଡକୁ ପଠାଇଛନ୍ତି । କେନ୍ଦ୍ର ଓ ଛତିଶଗଡରେ ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ଓଡିଶା ବିରୋଧୀର ଆଖ୍ୟା ଦେଇଛନ୍ତି । ଯୁବ ବିଜୁ ଜନତା ଦଳକୁ ଲଗାଇ ୧୫ଟି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି । ରେଳରୋକ ବି କରାଇଛନ୍ତି । ମହିଳା ବିଜେଡି ଦ୍ୱାରା କଳସ ଶୋଭାଯାତ୍ରା କରି କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଉମା ଭାରତୀଙ୍କ ବିରୋଧରେ ରୋଷ ଜାହିର କରିଛନ୍ତି ନବୀନ । ସେହିପରି ଗତ ଜୁଲାଇ ୨୯ରେ ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ପଠାଇ ଛତିଶଗଡ ସହ ତ୍ରିପାକ୍ଷିକ ଆଲୋଚନା କରିଛନ୍ତି । କେନ୍ଦ୍ର ଜଳ ସଂପଦ ଆୟୋଗକୁ ଛତିଶଗଡର ବୋଲକରା କହି ଭୁବନେଶ୍ୱର ସ୍ଥିତ ସିଡବ୍ଲୁସି ଆଗରେ ଶହେ ଦିନର ଧାରଣା ଦେଉଛି ବିଜେଡି । ଆଉ ସମସ୍ୟାର ସମାଧାନ ପାଇଁ ଉମା ଭାରତୀଙ୍କ ଆହୂତ ତ୍ରିପାକ୍ଷିକ ବୈଠକରେ ସେପ୍ଟେମ୍ବର ୧୭ରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି । ବୈଠକରୁ ବାହାରି ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଲେ ରମଣ ସିଂହ ସରକାର ବ୍ୟାରେଜ ନିର୍ମାଣ କାମ ବନ୍ଦ କରିିବାକୁ ରାଜି ହେଉନାହିଁ । ପରବର୍ତ୍ତୀ ନିଷ୍ପତ୍ତି ରାଜ୍ୟ କ୍ୟାବିନେଟରେ ସେପ୍ଟେମ୍ବର ୧୮ରେ ନିଆଯିବ । ହେଲେ ସେପ୍ଟେମ୍ବର ୧୭ ରାତିରେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ପ୍ରେସ ରିଲିଜ ଆସିଥିଲା ଯେ ଓଡିଶା ସରକାର ସୁପ୍ରିମକୋର୍ଟକୁ ଯିବେ ।  ଜାତୀୟ ଗ୍ରୀନ ଟ୍ରିବୁ୍ୟନାଲର ମଧ୍ୟ ଦ୍ୱାରସ୍ଥ ହୋଇପାରନ୍ତି । କିନ୍ତୁ ସେପ୍ଟେମ୍ବର ୨୪ରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଲେ, “ମହାନଦୀ ପ୍ରସଙ୍ଗରେ ବିରୋଧୀ ଦଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆଉ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ଦ୍ୱାରା ପ୍ରସ୍ତାବିତ ବିଶେଷଜ୍ଞ କମିଟିକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଏବଂ ଓଡିଶା ସରକାର ପ୍ରାଶାସନିକ ଓ ନ୍ୟାୟିକ ପଦକ୍ଷେପ ନେବେ ।” ତେବେ କେନ୍ଦ୍ର ସରକାରଙ୍କୁ ଓଡିଶା ବିରୋଧୀ କହୁଥିବା ନବୀନ ପଟ୍ଟନାୟକ ଏବେ ପୁଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମହାନଦୀ ମହାବିବାଦର ସମାଧାନ କରିବା ପାଇଁ । ବିଧାନସଭାରେ ନ୍ୟାୟିକ ଓ ପ୍ରାଶାସନିକ ପଦକ୍ଷେପ କଥା କହୁଥିବା ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କଲେ ଓଡିଶାକୁ କୋର୍ଟକୁ ଯିବାକୁ ପଡିବ ନାହିଁ ବୋଲି ନବୀନ ପତ୍ରରେ ଉଲ୍ଲେଖ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଗତ ଜୁଲାଇ ୧୬ରେ ମଧ୍ୟ ଆନ୍ତଃ ରାଜ୍ୟ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ମହାନଦୀ ପ୍ରସଙ୍ଗ ଉଠାଇଥିଲେ । ଆଉ ସେହି ବୈଠକରେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ ମଧ୍ୟ ଉପସ୍ଥିତ ଥିଲେ । ହେଲେ ନବୀନଙ୍କର ସେହି ଉପସ୍ଥାପନରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଭାବିତ ହୋଇନଥିଲେ । କାବେରୀ ଜଳ ବିବାଦ ମଧ୍ୟ ସ୍ପଷ୍ଟ କରୁଛି ପ୍ରଧାନମନ୍ତ୍ରୀ ମଧ୍ୟ ଚାହିଁଲେ ମଧ୍ୟ ଦୁଇ ରାଜ୍ୟର ଜଳ ବିବାଦ ସାଙ୍ଗେ ସାଙ୍ଗେ ସମାଧାନ ହୋଇପାରିବ ନାହିଁ । ଯଦି ନବୀନ ଜାଣନ୍ତି ଗଣତନ୍ତ୍ରରେ ଆଲୋଚନା ହିଁ ବିବାଦ ସମାଧାନର ଏକମାତ୍ର ମାଧ୍ୟମ ତା’ହେଲେ ବିକ୍ଷୋଭ, ବିରୋଧ କ’ଣ ପାଇଁ? ଅନୁମାନ କରାଯାଉଛି, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କର ସର୍ବଦଳୀୟ ବୈଠକ ପ୍ରସ୍ତାବକୁ ହସରେ ଉଡାଇ ଦେଇଥିବା ନବୀନ ରାଷ୍ଟ୍ରପତିଙ୍କୁ ଭେଟି କାଳେ ମାଇଲେଜ ନେଇଯିବେ ଆଉ ପଞ୍ଚାୟତ ନିର୍ବାଚନରେ ବାଜି ମାରିବେ ସେଥିପାଇଁ ନବୀନ ଅସ୍ଥିର ହୋଇପଡିଛନ୍ତି । ଆଉ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଚର୍ଚ୍ଚାରେ ରହିବାକୁ ଉଦ୍ୟମ କରିଛନ୍ତି ।

ONA

Leave a Reply

Top