You are here
Home > ପଲିଟିକ୍ସ > ଅମିତଙ୍କ ରଣହୁଙ୍କାର: ୨୦୧୯ରେ ସରକାର ଗଢ଼ିବ ବିଜେପି

ଅମିତଙ୍କ ରଣହୁଙ୍କାର: ୨୦୧୯ରେ ସରକାର ଗଢ଼ିବ ବିଜେପି

 ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନରେ ଅବିଶ୍ୱାସନୀୟ ସଫଳତା ପାଇବା ପରେ ଏବେ ବିଜେପି ୨୦୧୯ ଓଡ଼ିଶା ମିଶନରେ ବାହାରିଛି । ନବୀନଙ୍କ ଗଡ ଗଞ୍ଜାମ ଜିଲ୍ଲାର ହୁଗୁଳିପଟାରେ “ମୋ ବୁଥ୍ ସବୁଠୁ ମଜଭୁତ” କାର୍ଯ୍ୟକ୍ରମରେ ଯୋଗ ଦେଇ ଅଭିଯାନ ଆରମ୍ଭ କରିଛନ୍ତି ଅମିତ ଶାହା ।  ୟୁପି ଭଳି ଓଡ଼ିଶାରେ କ୍ଲିନ୍ ସୁଇପ କରିବ ବିଜେପି । ସାଧାରଣ ନିର୍ବାଚନରେ ଦଳ ଦୁଇତୃତୀୟାଂଶ ବହୁମତ ପାଇ ସରକାର ଗଢ଼ିବ । ଏହି କ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ।
  ‘ମୁଁ ବୁଥ ସ୍ତରରୁ କାମ କରିଛି ଏବଂ ତଳ ସ୍ତରରେ କଥା ବେଶ ଭଲ ଭାବେ ଜାଣିଛି । ସେହି ଦିଗରେ ମୁଁ ଏବେ କାର୍ଯ୍ୟ କରୁଛି । ପଞ୍ଚାୟତ ନିର୍ବାଚନରେ ଦଳ ପାଇଥିବା ସଫଳତାକୁ ଆଗକୁ ନେଇ ୨୦୧୯ରେ ଓଡ଼ିଶାରେ ବିଜେପି ଦୁଇ ତୃତୀୟାଂଶ ବହୁମତ ପାଇବ ଏବଂ ସରକାର ଗଠନ କରିବ ବୋଲି ଅମିତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ମୁଁ ଓଡ଼ିଶାରୁ ସକ୍ରିୟ ସଦସ୍ୟ ହୋଇ ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛି । ଓଡ଼ିଶାରେ ବିଜେପି କେମିତି ମଜଭୁତ ହେବ ସେ ନେଇ ରାଜ୍ୟର ସମସ୍ତ ୩୬ ହଜାର ବୁଥରେ ବୁଥକମିଟି ଗଠନହେବ । ତୃଣମୂଳସ୍ତରରୁ ସକ୍ରିୟ ହୋଇ କାର୍ଯ୍ୟ କରିବାକୁ ଅମିତ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ।
  ନବୀନଙ୍କ ଗଡରେ ଛିଡା ହୋଇ ଅମିତ ଶାହା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ରାଜ୍ୟ ସରକାର ଜନତାଙ୍କୁ ମୌଳିକ ସୁବିଧା ଦେବାରେ ବିଫଳ ହୋଇଛି । ବିଜେଡି ସରକାର ରାଜ୍ୟରେ ୧୭ ବର୍ଷ ଧରି କ୍ଷମତାରେ ଥିଲେ ମଧ୍ୟ ଆଜି ବି ସବୁ ଗାଁରେ ବିଜୁଳି, ପାନୀୟ ଜଳ ପହଞ୍ଚି ପାରିନି  । ଏଠାରେ ଶୌଚାଳୟ ନାହିଁ । ନିଯୁକ୍ତି ସୁଯୋଗ ନଥିବାରୁ ରାଜ୍ୟରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢ଼ି ଚାଲିଛି । ଏଠାରେ ରାଜ୍ୟ ସରକାର କଣ କରୁଛନ୍ତି ବୋଲି ଅମିତ ଶାହା ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାରେ ପ୍ରଭୁ ଜଗନ୍ନାଥ ବିଦ୍ୟମାନ । ଏଠାକାର ମାଟିତଳେ ପ୍ରଚୁର ସଂପଦ ଅଛି  । ସବୁ ଥାଇ ମଧ୍ୟ ଆଜି ଓଡ଼ିଶା ବିକାଶ ମାର୍ଗରେ ବହୁତ ପଛରେ । କେନ୍ଦ୍ର ସରକାର ରାଜ୍ୟକୁ ଯଥେଷ୍ଟ ଅନୁଦାନ ଦେଇଛି ।  ତା ସତ୍ତ୍ୱେ ବିଜେଡି ସରକାର ବିକାଶ କାର୍ଯ୍ୟକୁ ଆଗକୁ ନେବାକୁ ବିଫଳ ହୋଇଛି ।
  ଅମିତ ଶାହାଙ୍କ ମନ୍ତବ୍ୟ ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ସେ ଦଳର ଅଧ୍ୟକ୍ଷ, ଏମିତି ଉଦବୋଧନ ଦେବା ସ୍ୱାଭାବିକ କଥା । ଅମିତ ନା ନବୀନ ଠିକ୍ କହୁଛନ୍ତି ଲୋକେ ନିର୍ଣ୍ଣୟ କରିବେ । ରାଜ୍ୟର ସବୁ ତଥ୍ୟ ଇଣ୍ଟରନେଟ୍ରେ ଅଛି , ସେଥିରୁ ସବୁ ଜଣାପଡିବ ।
 କେନ୍ଦ୍ର ରାଜ୍ୟକୁ କେତେ ଦେଉଛି, ରାଜ୍ୟରେ କଣ କାମ ହେଉଛି, ଯାହାର ଯାହା ଜାଣିବା ଦରକାର ସେ ନେଟ୍ରୁ ସଂଗ୍ରହ କରନ୍ତୁ । ଏହାସହ ପ୍ରତାପ ଦେବ ବିଜେପିକୁ ପ୍ରଶ୍ନ କରିଛନ୍ତି କି ଗୁଜରାଟରେ କଣ ସବୁ ସୁବିଧା ଅଛି? ଏହାକୁ ଆମେ ବିଜେପିର ଏକ ସାଧାରଣ ଦଳୀୟ କାର୍ଯ୍ୟ ଭାବେ ଗ୍ରହଣ କରୁଛୁ ବୋଲି ପ୍ରତାପ କହିଛନ୍ତି ।
  ସେହିଭଳି ବିଜେଡି ଖାଦ୍ୟମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । ଦୁଇ ତୃତୀୟାଂଶ ସିଟ୍ ପାଇବା କଥା । ବିଜେପିର ଦିବାସ୍ୱପ୍ନ ବୋଲି କହିଛନ୍ତି । ଗଞ୍ଜାମରେ ବିଜେପି ତା ଦଳକୁ ଯେତେ ସୁଦୃଢ଼ କରିବାକୁ  ଚେଷ୍ଟା କଲେ ମଧ୍ୟ ତାହା କିଛି ଫଳ ହେବ ନାହିଁ  । ସୂର୍ଯ୍ୟ ପାତ୍ର କହିଛନ୍ତି ଗଞ୍ଜାମ କହିଲେ ନବୀନ ଓ ବିଜେଡିକୁ ବୁଝାଏ । ଗଞ୍ଜାମ ଲୋକ ଭଲ ମନ୍ଦ ବିଷୟରେ ଅବଗତ ଅଛନ୍ତି । ଅମିତ ଶାହାଙ୍କ ଭାଷଣର କୌଣସି ପ୍ରଭାବ ପଡିବ ନାହିଁ । ଗତ ପଞ୍ଚାୟତ ନିର୍ବାଚନରେ ୯୨% ସିଟ୍ ବିଜେଡି ଜିତିଥିଲା । ଏଦୃଷ୍ଟିରୁ ଆସନ୍ତା ନିର୍ବାଚନ ପାଇଁ ଆହୁରି ନିଜ ସ୍ଥିତିକୁ ବିଜେଡି ମଜଭୁତ କରି ସାରିଲାଣି ।

ONA

Leave a Reply

Top