You are here
Home > ଲାଇଫ୍ ଷ୍ଟାଇଲ୍ > ଅପରିପକ୍ୱ ଶିଶୁ ଜନ୍ମ

ଅପରିପକ୍ୱ ଶିଶୁ ଜନ୍ମ

ସାଧାରଣତଃ ଗର୍ଭଧାରଣ ପରେ ୩୭ ସପ୍ତାହ ପୂର୍ୱରୁ ଜନ୍ମ ନେଉଥିବା ଶିଶୁକୁ ଅପରିପକ୍ୱ ଶିଶୁ ବା ପ୍ରିମ୍ୟାଚିଓର ବେବି କୁହାଯାଏ ।  ମାତୃ ଗର୍ଭରେ ଥିବା ବେଳେ ଶିଶୁର ଶାରୀରିକ ଓ ମାନସିକ ବିକାଶ ସ୍ୱାଭାବିକ ହୋଇଥାଏ । ବିଶେଷ କରି ଗର୍ଭାବସ୍ଥାରେ ଶେଷ ସମୟ ଆଡକୁ ଏହି ବିକାଶ ତ୍ୱରାନ୍ୱିତ ହୁଏ । ଯେଉଁ ଶିଶୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ହୁଅନ୍ତି, ସେମାନଙ୍କ ଓଜନ ସାଧାରଣ ଶିଶୁଙ୍କର କମ ହୁଏ । ଏହାସହ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ପୂର୍ଣ୍ଣରୂପେ ବିକଶିତ ହୋଇନଥିବାରୁ ସେମାନଙ୍କଠାରେ ବହୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବାର ଆଶଙ୍କା ଥାଏ ।
ଅପରିପକ୍ୱ ଶିଶୁ ଜନ୍ମର କାରଣ: ଯଦି ମାର ପୂର୍ବ ସନ୍ତାନ ଧାର୍ଯ୍ୟ ସମୟ ପୂର୍ବରୁ ଜନ୍ମ ହୋଇଥାଏ, ମହିଳାଙ୍କ ଗର୍ଭରେ ଏକ ସମୟରେ ଦୁଇଟି କି ତିନୋଟି  ଶିଶୁ ରହିଥାଏ । ଏକାଧିକ ଥର ଗର୍ଭପାତ କରାଇଲେ, ଯଦି ଜଣେ ଉଚ୍ଚ ରକ୍ତଚାପ, ମଧୁମେହ ଓ କୌଣସି ସଂକ୍ରମଣରେ ଶିକାର ହୋଇଥାନ୍ତି, ନିର୍ଦ୍ଧାରିତ ବୟସ ପୂର୍ବରୁ ବିବାହ, ରକ୍ତହୀନତା ଏବଂ ଭିଟାମିନ, ମିନେରାଲ୍ସ ଅଭାବ ଆଦି କାରଣରୁ ଅପରିପକ୍ୱ ଶିଶୁ ଜନ୍ମ ହେବାର ଆଶଙ୍କା ଥାଏ ।
ବିଭିନ୍ନ ସମୟରେ ଲକ୍ଷ୍ୟ କରାଯାଉଛି ଯେ, ଯେଉଁ ମହିଳାମାନେ ଧୂମପାନ କରନ୍ତି, ମଦ୍ୟପାନ କରନ୍ତି କିମ୍ବା ମଝିରେ ମଝିରେ କୌଣସି ନିଶାଦ୍ରବ୍ୟ ସେବନ କରନ୍ତି, ସେମାନଙ୍କ କ୍ଷେତ୍ରରେ ଅପରିପକ୍ୱ ଶିଶୁ ଜନ୍ମ ହେବାର ଆଶଙ୍କା ଥାଏ । ଚିକିତ୍ସା ବିଜ୍ଞାନ ମଧ୍ୟ ଏହି କଥାକୁ ସ୍ୱୀକାର କରେ ।
ଅପରିପକ୍ୱ ଶିଶୁଙ୍କ ବଞ୍ଚିବା ସମ୍ଭାବନା: ଗର୍ଭଧାରଣର ୩୩ ସପ୍ତାହ ପୂର୍ବରୁ ଶିଶୁ ଜନ୍ମ ହେଲେ, ତାର ଫୁସଫୁସ ସମ୍ପୂର୍ଣ୍ଣ ବିକାଶ ହୋଇନଥାଏ । ସେଥିପାଇଁ ସେ ଗୁରୁତର ଶାରୀରିକ ସମସ୍ୟାର ସମ୍ମୁଖୀନ ହୁଏ । ଶିଶୁଟିର ଜନ୍ମ ଯଦି ୨୮ ସପ୍ତାହ ପୂର୍ବରୁ ହୋଇଥାଏ, ତେବେ ତାହା ଏକ ହସପିଟାଲରେ ହେବା ଉଚିତ । ଯେଉଁଠାରେ ନବଜାତ ଶିଶୁଙ୍କ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ରହିଥିବ । ଏବେ ଚିକିତ୍ସା ବିଜ୍ଞାନର ଉନ୍ନତି ସହିତ ଅପରିପକ୍ୱ ଶିଶୁଙ୍କ ବଞ୍ଚିବାର ହାର ମଧ୍ୟ ବୃଦ୍ଧି ପାଉଛି ।
ଅପରିପକ୍ୱ ଶିଶୁର ଯତ୍ନ: ଅପରିପକ୍ୱ ଶିଶୁଙ୍କ ଶରୀର ସମ୍ପୂର୍ଣ୍ଣ ବିକଶିତ ହୋଇନଥାଏ । ଫଳରେ ସେମାନଙ୍କର ଶରୀର ଶୀଘ୍ର ଥଣ୍ଡା ହୋଇଯାଏ ଏବଂ ସେମାନେ ମାତୃ ସ୍ତନ୍ୟପାନ ନିମନ୍ତେ ମଧ୍ୟ ସହାୟତା ଆବଶ୍ୟକ କରନ୍ତି । ସେମାନଙ୍କଠାରେ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖାଦେଇପାରେ ଏବଂ ସେମାନେ ବିଭିନ୍ନ ସଂକ୍ରମଣର ଶିକାର ହେବା ଆଶଙ୍କା ଅଧିକ । ତେଣୁ ସେମାନଙ୍କୁ ନିଓନେଟାଲ ବା ନବଜାତକ ଇନଟେନସିଭ କେୟାର ୟୁନିଟରେ ରଖି ସ୍ୱତନ୍ତ୍ର ଯତ୍ନ ନେବାକୁ ପଡିଥାଏ । ଅପରିପକ୍ୱ ଶିଶୁ ଜନ୍ମ ହେବାପରେ ହାଇପୋଥର୍ମିଆ , ହାଇପୋଗ୍ଲେସେମିଆ, ଜଣ୍ଡିସ ଭଳି ରୋଗ ହେବାର ଆଶଙ୍କା ବି ଅଧିକ ଥାଏ । ଅପରପକ୍ଷେ ଯେଉଁ ଶିଶୁମାନେ ୬ରୁ ୭ ମାସ ଭିତରେ ଜନ୍ମ ହୋଇଥାନ୍ତି ସେମାନଙ୍କଠାରେ ଅଟିଜିମ୍୍, ସେରିବ୍ରାଲ ପାଲସି, ଦୃଷ୍ଟିଦୋଷ, ଦାନ୍ତଜନିତ ସମସ୍ୟା, ଶବଚ୍ଚ ଶକ୍ତି ହ୍ରାସ ଭଳି ସମସ୍ୟା ଦେଖାଦେବାର ଆଶଙ୍କା ରହିଥାଏ ।
ସାଧାରଣ ଶିଶୁଙ୍କ ତୁଳନାରେ ଅପରିପକ୍ୱ ଶିଶୁମାନଙ୍କ କ୍ଷେତ୍ରରେ ସଂକ୍ରମଣର ଆଶଙ୍କା ଅଧିକ । ତେଣୁ ମା ଓ ବାପା ଉଭୟ ଶିଶୁର ଉପଯୁକ୍ତ ଯତ୍ନ ନେବାର ଯଥେଷ୍ଟ ଆବଶ୍ୟକତା ରହିଛି । ଯେପରିକି ଘରର ତାପମାତ୍ରାକୁ ୨୯ରୁ ୩୦ ଡିଗ୍ରୀ ଭିତରେ ରଖିବା ଦରକାର । ପିଲାକୁ ମୋଜା, ଟୋପି ପିନ୍ଧାଇବା ଜରୁରି । ମା ପିଲାକୁ ଖାଦ୍ୟ ଦେବା ସମୟରେ ଭଲଭାବେ ହାତ ଧୋଇବା ଦରକାର । ପିଲାର ଗିନା, ଚାମଚ ଗରମ ପାଣିରେ ଫୁଟାନ୍ତୁ । ବୋତଲ ବଦଳରେ ଗିନା, ଚାମଚରେ ଖାଇବାକୁ ଦିଅନ୍ତୁ । କଙ୍ଗାରୁ ଯେଭଳି ତାର ଥଳିରେ ପିଲାକୁ ଯତ୍ନରେ ରଖିଥାଏ, ସେଭଳି ବାପା ଓ ମା ଉଭୟ ପିଲାଙ୍କୁ କଙ୍ଗାରୁ କେୟାର ଦେଇପାରିଲେ ଆହୁରି ଭଲ । ପିଲାକୁ ଛାତିରେ ଜାକି ଧରିଲେ ପିଲାଟି ବାପା ଓ ମାର ସମ୍ପର୍କ ନିବିଡ ହେବା ସହ ତାର ମସ୍ତିଷ୍କ ମଧ୍ୟ ସକ୍ରିୟ ହୋଇଥାଏ ।
କିଭଳି ଏଡାଯାଇପାରିବ ଏଭଳି ସମସ୍ୟା
  ଗର୍ଭାବସ୍ଥାରେ ନିଶା ସେବନଠାରୁ ଦୂରେଇ ରହିବା, ଚାପଗ୍ରସ୍ତ ନ ରହିବା, ରକ୍ତହୀନତା ସମସ୍ୟାର ସମାଧାନ, ଶରୀର ଓଜନ ଠିକ ରଖିବା ଭଳି ବିଷୟ ପ୍ରତି ଦୃଷ୍ଟି ଦେଲେ ଅପରିପକ୍ୱ ଶିଶୁ ଆଶଙ୍କାରୁ ଅନେକାଂଶରେ ଏଡାଯାଇପାରିବ ।
  ଗର୍ଭାବସ୍ଥାରେ ପୁଷ୍ଟିକର ଖାଦ୍ୟ ସହିତ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଦରକାର । ଅପରିପକ୍ୱ ଶିଶୁ ମୃତୁ୍ୟହାର ରୋକିବା ପାଇଁ ପ୍ରତି ଜିଲ୍ଲା ସରକାରୀ ଚିକିତ୍ସାଳୟରେ ଥିବା ସ୍ପେଶାଲ ନିଓନେଟାଲ କେୟାର ୟୁନିଟଗୁଡିକରେ ତାଲିମପ୍ରାପ୍ତ ନର୍ସମାନଙ୍କୁ ନିୟୋଜିତ କରିବା ଦରକାର ।
  ତୃଣମୂଳ ସ୍ତରରୁ ଗ୍ରାମାଞ୍ଚଳରେ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ଜରିଆରେ ଏ ସମ୍ପର୍କରେ ଯଥେଷ୍ଟ ସଚେତନତା ପ୍ରଚାର କରିବାର ଆବଶ୍ୟକତା ରହିଛି ।
   ଏହାସହ ଗର୍ଭାବସ୍ଥାରେ ମାକୁ ଆଣ୍ଟିନେଟାଲ ଷ୍ଟିରଏଡ ଓ ଫଲିକ ଏସିଡ କ୍ୟାପସୁଲ ଦିଆଗଲେ ମଧ୍ୟ ଅପରିପକ୍ୱ ଶିଶୁ ଜନ୍ମ ସମସ୍ୟା ଅନେକାଂଶରେ ଦୂର ହୋଇପାରିବ । ଯେଉଁ ଶିଶୁମାନେ ୭ ମାସରେ ଜନ୍ମ ହେଉଛନ୍ତି, ସେମାନଙ୍କ କ୍ଷେତ୍ରରେ ଦୃଷ୍ଟିଶକ୍ତି କମ ରହିବା ଆଶଙ୍କା ଅଧିକ ଥାଏ । ତେଣୁ ପିଲା ହେବାର ୩ ସପ୍ତାହ ମଧ୍ୟରେ ଆରଓପି (ରେଟିନୋପାଥି ଅଫ୍୍ ପ୍ରିମ୍ୟାଚିଓର) ପରୀକ୍ଷା କରାଇବା ଉଚିତ ।

ONA

Leave a Reply

Top