You are here
Home > ଅଧିକ ଖବର > ଅନ୍ତିମ ସଂସ୍କାର

ଅନ୍ତିମ ସଂସ୍କାର

ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଭାରତ ସମ୍ବିଧାନ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିଛି । ପ୍ରାଚୀନ ଯୁଗରେ ରାଜାନୁଗତ ଧର୍ମ ପ୍ରଚଳିତ ଥିଲା । କିନ୍ତୁ ସ୍ୱାଧୀନତା ପରେ ଦେଶରେ ଗଣତନ୍ତ୍ର ଶାସନ ·ଲିଛି । ଭୋଟ ମାଧ୍ୟମରେ ନାଗରିକମାନେ ନିଜର ମତାଧିକାର ପ୍ରୟୋଗ କରି ଶାସକମାନଙ୍କୁ ନିର୍ବାଚିତ କରିଥାନ୍ତି । ଭାରତ ବର୍ଷରେ ବହୁ ଦଳୀୟ ରାଜନୀତିକ ବ୍ୟବସ୍ଥା ପ୍ରଚଳିତ । ନାଗରିକମାନଙ୍କ ଭୋଟ ପାଇବା ପାଇଁ ରାଜନୀତିକ ଦଳମାନେ ନିର୍ବାଚନ ଇସ୍ତାହାରରେ କଲ୍ୟାଣକାରୀ ଯୋଜନାମାନ ପ୍ରସ୍ତୁତ କରି ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାର ଉଦ୍ୟମ କରିଥାନ୍ତି ।
କଂଗ୍ରେସ ପ୍ରାୟ ୬୦ ବର୍ଷ ଦେଶକୁ ଶାସନ କରିଛି । ସ୍ୱାଧୀନତା ଆନେ୍ଦାଳନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା କଂଗ୍ରେସ ଦଳକୁ ଦେଶବାସୀ ବିଶ୍ୱାସ କରିଥିଲେ । କିନ୍ତୁ ସମୟ କ୍ରମେ ପରବର୍ତୀ ପିଢ଼ୀର ରାଜନୀତିରେ ସାମାଜିକ ସଂରଚନା (ସୋସିଆଲ ଇଞ୍ଜିନିୟରିଂ) କରି କ୍ଷମତା ହାତେଇବାକୁ ସଭାସମିତିରେ ମହିଳା, ହରିଜନ, ଆଦିବାସୀ, କୃଷକ, ଶ୍ରମିକ, ପଛୁଆବର୍ଗ, ଗରୀବ, ଦଳିତ ଆଦିର ଶବ୍ଦ ପ୍ରୟୋଗ କରି ସାମାଜିକ ଜୀବନରେ ଫାଟ ସୃଷ୍ଟି କରାଗଲା । କେତେକ ସରକାର ବିଭିନ୍ନ ଋଣ ଛାଡ଼, ସୁଧ ଛାଡ଼ ଇତ୍ୟାଦି ପ୍ରଦାନ କଲେ । ସମବାୟ କ୍ଷେତ୍ରରେ କୃଷକମାନଙ୍କୁ ପର୍ଯ୍ୟାପ୍ତ ସବ୍ସିଡି ବା ଛାଡ଼ର ସୁଯୋଗ ଦେଇ ସେମାନଙ୍କୁ ନିଜ ଆଡ଼କୁ ନେବାର ଯୋଜନା ପ୍ରସ୍ତୁତ ହେଲା ।
ସ୍ୱାଧୀନତା ପରେ ରାମଜନ୍ମଭୂମି-ବାବ୍ରି ମସ୍ଜିଦ୍ ବିବାଦ ଧାର୍ମିକ ଆଧାରରେ ଆରମ୍ଭ ହୋଇଥିଲେ ମଧ୍ୟ ରାମ ଜନ୍ମଭୂମି ହିନ୍ଦୁମାନଙ୍କ ଆସ୍ଥାର ଦେବ ଭୂମି ବୋଲି ଯେଉଁମାନେ ସଂଗଠନ କଲେ ସେମାନେ ଇଟା ସଂଗ୍ରହ, ରାମରଥ  ଚଳାଇ ନିଜକୁ ହିନ୍ଦୁ ସଂଗଠନର ପ୍ରତିନିଧି ଭାବେ ଉପସ୍ଥାପିତ କଲେ । ବିଶ୍ୱନାଥ ପ୍ରତାପ ସିଂହ ଭାରତର ପ୍ରଧାନମନ୍ତ୍ରୀ ଥିବା ବେଳେ ମଣ୍ଡଳ କମିଶନ ସୁପାରିଶ୍କୁ ଗ୍ରହଣ କରି ପଛୁଆ ବର୍ଗକୁ ୨୭% ସଂରକ୍ଷଣ ଦେବାର ଯେଉଁ ବ୍ୟବସ୍ଥା କଲେ, ତାହା ଜାତିଭିତ୍ତିକ ସାମାଜିକ ସଂରଚନାକୁ ଆହୁରି ଜୋରଦାର କଲା । ମଣ୍ଡଳ କମିଶନ ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପରେ ସୁପ୍ତ ପ୍ରାୟ ରାମ ଜନ୍ମଭୂମି ବିବାଦ ହିନ୍ଦୁମାନଙ୍କ ମଧ୍ୟରେ ନବଜାଗରଣ ସୃଷ୍ଟି କଲା । ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ବେଳେ ରାମ ମନ୍ଦିର ତାଲା ଖୋଲା ଯାଇଥିଲା । ସୋମନାଥରୁ ଅଯୋଧ୍ୟା ରାମରଥ ଯାତ୍ରାର ନେତୃତ୍ୱ ନେଇ ଲାଲକୃଷ୍ଣ ଆଡଭାନି ବିହାରରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ୍ଙ୍କ ଦ୍ୱାରା ଗିରଫ ହେଲେ ଓ ଶ୍ରୀ ଯାଦବ୍ ମୁସଲମାନମାନଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ଉତ୍ତରପ୍ରଦେଶର ସେତେବେଳେ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ୍ଙ୍କ କାର୍ଯ୍ୟଧାରାରେ ଉତ୍ତର ପ୍ରଦେଶର ମୁସଲମାନମାନେ ସନ୍ତୁଷ୍ଟ ଥିଲେ । କଂଗ୍ରେସ ଆଡ଼ୁ ମୁହଁ ଫେରାଇ ସମାଜବାଦୀ ପାର୍ଟିର ପକ୍ଷ ଧର ଭାବରେ ସେଠାର ମୁସଲମାନ ଭୋଟରମାନେ ବିଜେପିକୁ ବିଶ୍ୱାସକୁ ନେଲେ ନାହିଁ ଏବଂ ମୁଲାୟମ ସିଂହ ଯାଦବ ମୁସଲମାନ ଓ ଯାଦବମାନଙ୍କ ବହୁଳ ଭୋଟରେ ଅଣ ବିଜେପି ସରକାର ଗଠନ କରିବାରେ ସକ୍ଷମ ହୋଇପାରିଥିଲେ । ଦଳିତମାନଙ୍କୁ ଏକାଠି କରି  କାଂସିରାମ ଓ ସୁଶ୍ରୀ ମାୟାବତୀ ବହୁଜନ ସମାଜ ପାର୍ଟି ମାଧ୍ୟମରେ ଦଳିତ, ବ୍ରାହ୍ମଣମାନଙ୍କୁ ଏକାଠି କରି ଶାସନ କ୍ଷମତା ଦଖଲ କରିଥିଲେ । ସମାଜବାଦୀମାନେ ପରବର୍ତ୍ତୀ ସମୟରେ ମୁସଲମାନ ଯାଦବମାନଙ୍କୁ ଏକାଠି କରି ସମାଜବାଦୀ ଶାସନ ଅଖିଳେଶ ଯାଦବଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ପ୍ରତିଷ୍ଠା କରିପାରିଥିଲେ ।
ଚଳିତ ଉତ୍ତର ପ୍ରଦେଶ ନିର୍ବାଚନ ଲଢ଼େଇ ମୁଖ୍ୟତଃ ଭାରତୀୟ ଜନତା ପାର୍ଟି, ସ.ପା, କଂଗ୍ରେସ ମେଣ୍ଟ, ବହୁଜନ ସମାଜବାଦୀ ପାର୍ଟି ମଧ୍ୟରେ ହେବାକୁ ଯାଉଛି । ସ.ପା, କଂଗ୍ରେସ ମେଣ୍ଟ ଅଖିଳେଶ ସରକାରର ‘କାମ ବୋଲ୍ତା ହୈ’ ସ୍ଲୋଗାନରେ ଲଢ଼ୁଥିବା ବେଳେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପରିବର୍ତ୍ତନ ପାଇଁ ‘ସବ୍କା ସାଥ ସବ୍କା ବିକାଶ’ ସ୍ଲୋଗାନ ଦେଇଛି । ସୁଶ୍ରୀ ମାୟବତୀ ଦଳିତ ଭୋଟ ସହିତ ମୁସଲିମ୍ ଭୋଟ ଯୋଡ଼ିବା ପାଇଁ ପ୍ରାୟ ୧୦୦ ଜଣ ମୁସଲମାନ ପ୍ରତ୍ୟାଶୀଙ୍କୁ ବିଧାନସଭା ପାଇଁ ଟିକେଟ୍ ଦେଇ କ୍ଷମତା ହାତେଇବାକୁ ଉଦ୍ୟମ କରୁଛନ୍ତି । ସବୁ ଦଳରୁ ର୍ୟାଲି, ରୋଡ଼୍ ସୋ, ଜନସଭା ଅନୁଷ୍ଠିତ ହେଉଛି । ଆରୋପ, ପ୍ରତ୍ୟାରୋପର ଧାର ଖୁବ୍ ତୀବ୍ର ହୋଇଛି । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ତ୍ତ୍ରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆର ନିର୍ବାଚନ ଫଳାଫଳ ନିର୍ଣ୍ଣାୟକ ହେବ ବୋଲି ରାଜନୀତି ବିଶାରଦମାନେ ଆକଳନ କରୁଛନ୍ତି ।
ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ଆଖି ରହିଛି । ପ୍ରଧାନମନ୍ତ୍ରୀ ମୋଦି ଧ୍ରୁବିକରଣ ରାଜନୀତି କରୁଛନ୍ତି ବୋଲି ସ.ପା, ବସପା ଓ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ କଠୋର ସମାଲୋଚନା କରିଛନ୍ତି । ଅନ୍ତିମ ସଂସ୍କାରର ସ୍ଥାନ କବର ଓ ଶ୍ମଶାନକୁ ନେଇ ରାଜନୀତିର ଆରୋପ-ପ୍ରତ୍ୟାରୋପ ନିର୍ବାଚନ ପ୍ରଚାର ଶେଷ ପରେ ଥମିବ । କିଏ ସାମ୍ପ୍ରଦାୟିକ, କିଏ ଧର୍ମନିରପେକ୍ଷ ତାହା ଜଳ ଜଳ ଦେଖାଯାଉଛି । ଏ ଜନ୍ତା ସବ୍ ଜାନତା ହୈ । ମାର୍ଚ୍ଚ ୧୧ ତାରିଖରେ କାହା ଭୋଟରେ କିଏ ସରକାର ଗଠନ କରିବ, ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇପାରିବ । ଭେଦଭାବ ରହିତ ଶାସନ ହିଁ ଦେଶ ପାଇଁ ଶୁଭଙ୍କର, ଏହା ସମସ୍ତ ରାଜନୀତିକ ଦଳ ଓ ନେତାମାନେ ହୃଦୟଙ୍ଗମ କରିବା ଉଚିତ ।
ପ୍ରାଣକୃଷ୍ଣ ଦଳବେହେରା,  ଆଡ୍ଭୋକେଟ୍, ଖୋରଧା
ଦୂରଭାଷ: ୯୮୬୧୫୯୦୯୧୫

ONA

Leave a Reply

Top