You are here
Home > ଲାଟେଷ୍ଟ > ଅଣ୍ଡାମାଡ ଘଟଣା: ରାଜନାଥଙ୍କୁ ଚିଠି ଲେଖିଲେ ଜୁଏଲ

ଅଣ୍ଡାମାଡ ଘଟଣା: ରାଜନାଥଙ୍କୁ ଚିଠି ଲେଖିଲେ ଜୁଏଲ

ବିଜେଡିର ଲୋକାଲ ଗୁଣ୍ଡା ମାରିଛନ୍ତି ଅଣ୍ଡା
ଭୟରେ ଅଣ୍ଡାମାଡ କରୁଛି ବିଜେଡି: ଧର୍ମେନ୍ଦ୍ର
ଭୁବନେଶ୍ୱର: ନିକଟରେ କେନ୍ଦ୍ରାପଡ଼ାର ଆଳିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଅଣ୍ଡାମାଡ ହୋଇଥିଲା । ଏହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ରହିଛି । ଶୁକ୍ରବାର ଅଣ୍ଡା ମାଡ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଘଟଣାର ତଦନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି । ଜୁଏଲ ଚିଠିରେ ଲେଖିଛନ୍ତି, ‘ସବକା ସାଥ୍ ସବକା ବିକାଶ’ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କେନ୍ଦ୍ରାପଡାରୁ ରାଜକନିକା ଯାଉଥିବା ବେଳେ କିଛି ଦୁବୃର୍ତ୍ତ ତାଙ୍କ ଗାଡି ଉପରକୁ ଅଣ୍ଡା ସାଙ୍ଗକୁ ପଥର ମଧ୍ୟ ଫିଙ୍ଗି ଥିଲେ । ରାଜକନିକା ଯିବା ବାଟରେ ଚାରୋଟି ସ୍ଥାନରେ ଏପରି ଘଟିଥିଲା ।
  ଏଭଳି ନିନ୍ଦନୀୟ କାର୍ଯ୍ୟ ବିଜେଡିର ସ୍ଥାନୀୟ ଗୁଣ୍ଡାମାନେ କରିଛନ୍ତି । ତାଙ୍କ ଗସ୍ତ ନେଇ ପୂର୍ବରୁ କେନ୍ଦ୍ରାପଡା ଏସପିଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ  ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରି ନଥିଲେ ।
  ରାଜ୍ୟରେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା କେନ୍ଦ୍ରମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦେବା ରାଜ୍ୟ ସରକାରଙ୍କ ପରମ ଦାୟିତ୍ୱ । କିନ୍ତୁ ଓଡ଼ିଶା ସରକାର ଏଥିରେ ବିଫଳ ହୋଇଛନ୍ତି । ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରାଯିବା କିଛି ନୂଆ କଥା ନୁହେଁ  । ତାଙ୍କ ପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ  ସିଂଙ୍କ ଗାଡି ଉପରକୁ ଅଣ୍ଡା ମାଡ ହୋଇଥିଲା । ଏଭଳି ଘଟଣା ରାଜ୍ୟରେ ବଢ଼ୁଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷା ନେଇ ନବୀନ ସରକାର କେତେ ଚିନ୍ତିତ ତାହା ଜଳଜଳ ହୋଇ ଦିଶୁଛି । ଏଭଳି ଘଟଣାରେ ହସ୍ତକ୍ଷେପ କରିବାକୁ  ରାଜନାଥଙ୍କୁ ଅନୁରୋଧ କରିବା ସହ କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ଜୁଏଲ  । ତେବେ ଭୟରେ ବିଜେଡି ଏଭଳି କରୁଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
  ନିକଟରେ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନିଜ ଅଞ୍ଚଳ କେନ୍ଦ୍ରାପଡ଼ାରେ ଜଳ ପ୍ରକଳ୍ପ ଉଦଘାଟନ ସମୟରେ ବିଜେଡିର କିଛି ଅସନ୍ତୁଷ୍ଟ କର୍ମୀ ଅଣ୍ଡା ମାଡ କରିଥିଲେ । କେବଳ ଅଣ୍ଡା ମାଡ ନୁହେଁ, କଳାପତାକା ପ୍ରଦର୍ଶନ ସାଙ୍ଗକୁ ତାଙ୍କ ଉପରକୁ ଚପଲ ମଧ୍ୟ ଫିଙ୍ଗା ଯାଇଥିବାର ଦେଖିବାକୁ ମିଳିଥିଲା । ଏଭଳି ଘଟଣା ପରେ ବିଜେଡି ମଧ୍ୟରେ ଥିବା ଅନ୍ତଦ୍ୱର୍ନ୍ଦ୍ୱ ପଦାକୁ ଚାଲିଆସିଛି ।
  ନେତାଙ୍କୁ ଅଣ୍ଡାମାଡ କିଛି ନୂଆକଥା ନୁହେଁ । ବଲାଙ୍ଗୀରରେ ବିଜେପି କର୍ମୀ ସେତେବେଳେର କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଅଣ୍ଡାମାଡ କରିଥିଲେ । ସଚିବାଳୟ ଯିବା ବାଟରେ ଛାତ୍ରକଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡି ଉପରକୁ ଅଣ୍ଡା ମାଡକରି ନିଜର କ୍ଷୋଭ ଜାହିର କରିଥିଲେ । ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଫୁଲବାଣୀରେ ବହୁବାର ଅଣ୍ଡା ମାଡ ହୋଇଥିଲା ।

ONA

Leave a Reply

Top