You are here
Home > ଅଧିକ ଖବର > ଅଡୁଆରେ ନବୀନ, ଉଦ୍ଧାରିବେ ତାରା

ଅଡୁଆରେ ନବୀନ, ଉଦ୍ଧାରିବେ ତାରା

ଭାଲୁ ଭାଇନା ହାତ ଛାଡି ଶଙ୍ଖ ଫୁଙ୍କିବେ ! ଜୟପୁର ବିଧାନସଭା ଆସନ ନୁହେଁ  ବ୍ରହ୍ମପୁର ଲୋକସଭା ଆସନରୂୁ ବିଜେଡି ଟିକେଟରେ ଲଢିବେ । ଏଥିପାଇଁ କୁଆଡେ ଭିତିରିଆ ଡିଲ୍ ଚାଲିଛି । ଆଉ ତାରାଙ୍କୁ ବିଜେଡିକୁ ଆଣି ନିଜ ହିଞ୍ଜିଳି ଆସନକୁ ସୁରକ୍ଷିତ ରଖିବା ଚକ୍କରେ ନବୀନ ଥିବା ଚର୍ଚ୍ଚା ହେଉଛି ।
ଭୁବନେଶ୍ୱର, (ସମ୍ବ୍ରିତା ମହାନ୍ତି): ବିରୋଧୀ ଦଳ ମୁଖ୍ୟ-ସଚେତକ ତଥା ବିଧାୟକ ତାରା ପ୍ରସାଦ ବାହିନୀପତିି କଂଗ୍ରେସ ଛାଡୁଥିବା ନେଇ ଚର୍ଚ୍ଚା ହେଉଛି । କୋରାପୁଟ ଜୟପୁରରୁ ତିନି ତିନି ଥର କଂଗ୍ରେସ ଟିକେଟରେ ବିଧାୟକ ହୋଇଥିବା ତାରା ବାହିନୀପତି ଓରଫ ଭାଲୁ ଭାଇନା ବିଜୁ ଜନତା ଦଳରେ ଯୋଗ ଦେବାର ସମ୍ଭାବନା ଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଲାଣି । ଏମିତି ବି ଭାଲୁ ଭାଇନାଙ୍କ ନାଁ ଦଳ ଡିଆଁ ଲିଷ୍ଟରେ ରହିଛି । ୨୦୦୯ରେ କଂଗ୍ରେସ ଟିକେଟ୍ ନପାଇବାରୁ ଭାଲୁ ଭାଇନା ବିଜେପିକୁ ଡେଇଁଥିଲେ । ଆଉ ବିଜେପି ଟିକେଟରେ ଲଢି ପରାଜିତ ହେବା ପରେ ପୁଣି ହାତକୁ ଫେରିଥିଲେ । ହେଲେ ଏବେ ଅବୁଝା ଲାଗୁଛି ଯେ, କେଉଁ ଗଣିତରେ୨୦୧୯ ନିର୍ବାଚନରେ ଭାଲୁଙ୍କୁ ଥଇଥାନ କରିବ ବିଜେଡି । କାରଣ ଜୟପୁରରୁ ଟାଣୁଆ ବିଜେଡି ନେତା ରବିନାରାୟଣ ନନ୍ଦଙ୍କୁ ପରାସ୍ତ କରି ଭାଲୁ ଭାଇନା ୨୦୧୪ରେ ବିଧାନସଭା ପଶିଲେ । ସେପଟେ କୋରାପୁଟ ଜିଲ୍ଲାରେ କେବଳ ଜୟପୁର ଆସନ ହିଁ ସାଧାରଣ ବର୍ଗଙ୍କ ଲାଗି ଉଦ୍ଦିଷ୍ଟ । ଯେଉଁଠି ଭାଲୁ ଓ ରବି ଦୁଇ ବ୍ରାହ୍ମଣ ନେତା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଯଦି ଭାଲୁ ଭାଇନା ବିଜେଡିରେ ମିିଶିବେ, ତେବେ କିଏ ଜୟପୁରରୁ ଶଙ୍ଖ ଫୁଙ୍କିବେ? କାରଣ ରବି ବାବୁ ମଧ୍ୟ ଜୟପୁରରୁ ୩ ଥର ବିଧାୟକ ଭାବେ ଜିତି ମନ୍ତ୍ରୀ ହୋଇଛନ୍ତି । ତାହେଲେ ନବୀନଙ୍କ ନେତୃତ୍ୱରେ ଏଠାରେ ତାରା ଚମକିବ ନା ରବି ପୁଣି ଉଦୟ ହେବ? ଏମିତି ନାନା ପ୍ରଶ୍ନ ଏବେ ଉଠିଛି ।
ବିଗତ ଦିନରୁ ଭାଲୁଙ୍କୁ ବିଜେଡିରେ ମିଶାଇବା ପାଇଁ ଅନେକ ନେତା ପ୍ରୟାସ କରିଛନ୍ତି । ଏପରିକି ଭାଲୁ ଭଇନାଙ୍କ ପାଇଁ ନବୀନ ପଟ୍ଟନାୟକ ବି ଇଚ୍ଛୁକ ବୋଲି ଖବର ମିଳିଛି । ବିଧାୟକ ପ୍ରଣବ ପ୍ରକାଶ ଦାସ ଭାଲୁଙ୍କୁ ଦଳରେ ମିଶାଇବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି । ହେଲେ ଥଇଥାନ ରାଜନୀତିରେ ନବୀନ କିପରି ଗୋଟି ଚଳାଇ ଚେର କାଟନ୍ତି, ସେ କଥା ତାରା ଭଲ ଭାବେ ଜାଣନ୍ତି । ପୂର୍ବତନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ବିଜେଡିରେ ଯୋଗ ଦେବା ପରେ ଅସ୍ତିତ୍ୱ ହରାଇଛନ୍ତି । ଏସବୁ ଜାଣି ଭାଲୁ ଭୁଲ୍ କରିବେ ବା କାହିଁକି? ଶୁଣିବାକୁ ମିଳିଛି, ୨୦୧୯ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେଡି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଭାଲୁ ।
 ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ମୂଳବାସିନ୍ଦା ହେଉଛନ୍ତି ତାରା । ସେପଟେ ବ୍ରହ୍ମପୁର ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ କାର୍ଯ୍ୟଧାରାରେ ନବୀନ ସନ୍ତୁଷ୍ଟ ନଥିବା ଖବର ମିଳିଛି । ଦୁଇ ଦୁଇ ଥର ସାଂସଦ ହୋଇଥିବା ସିନେ ତାରକା ସିଦ୍ଧାନ୍ତଙ୍କ ସଂସଦୀୟ କାର୍ଯ୍ୟଧାରାରେ ବିଜେଡି ସୁପ୍ରିମୋ ନାଖୁସ୍ । ଗତ ନିର୍ବାଚନରେ ବି କଂଗ୍ରେସର ଟାଣୁଆ ନେତା ଚନ୍ଦ୍ରଶେଖର ସାହୁଙ୍କ ଠାରୁ ସେ ଅଳ୍ପ ଭୋଟ୍ ବ୍ୟବଧାନରେ ଜିତିଛନ୍ତି । ଆଉ ବ୍ରହ୍ମପୁର ଭୋଟର ପୁଣି ଚନ୍ଦ୍ର ମୁହାଁ ହେଲେଣି, ଏପରିକି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ବିଜେପିରେ ମିଶୁଛନ୍ତି ବୋଲି ନବୀନ ନିବାସରେ ଖବର ପହଞ୍ଚିଛି । ତେଣୁ ଚନ୍ଦ୍ରଶେଖର ସାହୁଙ୍କୁ କେବଳ ତାରା ହିଁ ମୁକାବିଲା କରି ପାରିବେ ବୋଲି ନବୀନଙ୍କ ହିସାବ କହୁଛି । ହେଲେ ତାରାଙ୍କୁ ବିଜେଡିକୁ ଆଣିବା ପଛରେ କିଛି ଖାସ  କଥା ଥିବା ଚର୍ଚ୍ଚା ହେଉଛି । ତାହା ହେଲେ ଭାଲୁଙ୍କୁ ଟିକେଟ ଦେଇ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଭୋଟ ବ୍ୟାଙ୍କ ସୁରକ୍ଷିତ ରଖିବା ଲକ୍ଷ୍ୟରେ ଅଛନ୍ତି ନବୀନ । କାରଣ ୧୯୫୭ ମସିହାରୁ ହିଞ୍ଜିଳିରୁ ଲଗାତର ୭ ଥର ଜିତିଛନ୍ତି ପୂର୍ବତନ ମନ୍ତ୍ରୀ ବୃନ୍ଦାବନ ନାୟକ । ବିଜୁ ପଟ୍ଟନାୟକଙ୍କ  ଘନିଷ୍ଠ ସ୍ୱର୍ଗତ ବୃନ୍ଦାବନ ନାୟକଙ୍କ ପୁଅ ଉଦୟନାଥ ବି ୨୦୦୦ ମସିହା ଯାଏ ହିଞ୍ଜିଳି ବିଧାୟକ ଥିଲେ । ହେଲେ ନବୀନ ଆସିବା ପରେ ଦୁଇ ଦୁଇ ଥର କଂଗ୍ରେସ ଟିକେଟରେ ପରାଜିତ ହୋଇଛନ୍ତି ଉଦୟ । ଯଦିଓ ୨୦୧୪ ନିର୍ବାଚନରେ କଂଗ୍ରେସରୁ ଉଦୟଙ୍କୁ ଟିକେଟ ମିଳିଲାନି । କିନ୍ତୁ ଆଜି ବି ହିିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ନାୟକ ପରିବାରର ନିଜସ୍ୱ ଭୋଟବ୍ୟାଙ୍କ ରହିଛି । ସେପଟେ ଗତ ପଞ୍ଚାୟତ ନିର୍ବାଚନରେ ୨୦୧୪ ନିର୍ବାଚନ ତୁଳନାରେ ହିଞ୍ଜିଳିରେ ବିଜେଡିକୁ ୧୫ହଜାର ୧୪୧ଟି ଭୋଟ କମ ମିଳିଥିବା ବେଳେ ବିଜେପିକୁ ୨୧ହଜାର ୪୬୮ ଭୋଟ୍ ଅଧିକ ମିଳିଛି । ନବୀନ ପଟ୍ଟନାୟକଙ୍କ ପ୍ରଚାର ସତ୍ତ୍ୱେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ କମ ଭୋଟ ବ୍ୟବଧାନରେ ଜିତିଛନ୍ତି । ଆଉ ୨୦୧୯ ପାଇଁ ମିଶନ୍-୧୨୦ ଲକ୍ଷ୍ୟ ରଖିଥିବା ବିଜେପି, ଜୁନିଅର ନାୟକ ଉଦୟଙ୍କୁ ନବୀନଙ୍କ ବିରୋଧରେ ଲଢାଇବା ଲାଗି ଯୋଜନା କରୁଥିବା ଖବର ମିଳିଛି । ଯଦି ବିଜେପି ଏପରି କରେ ତାହେଲେ ୨୦୧୪ ନିର୍ବାଚନରେ ୭୬ ହଜାର ୫୮୬ ଭୋଟ ବ୍ୟବଧାନରେ ଜିତିଥିବା ନବୀନ, କଡା ମୁକାବିଲାର ସମ୍ମୁଖୀନ ହେବେ । ଯାହାକୁ ନେଇ ନବୀନ ଚିନ୍ତାରେ ଥିବା ସୂଚନା ମିଳିଛି । ତେଣୁ କଂଗ୍ରେସ ବିଧାୟକ ଭାଲୁଙ୍କୁ ବିଜେଡିରେ ମିଶାଇବାକୁ ପ୍ଲାନ କରୁଛନ୍ତି । କାରଣ ଭାଲୁ ବାହିନୀପତି ଓ ଉଦୟନାଥଙ୍କ ମଧ୍ୟରେ ବନ୍ଧୁବାନ୍ଧବ ପାରିବାରିବ ସଂପର୍କ  । ତେଣୁ କୌଣସିମତେ ଭାଲୁଙ୍କୁ ଦଳରେ ମିଶାଇ ଉଦୟଙ୍କର ସମର୍ଥନ ଲକ୍ଷ୍ୟ ରଖିଛନ୍ତି ନବୀନ । ଅର୍ଥାତ୍ ଭାଲୁ ହେଉଛନ୍ତି ନବୀନଙ୍କ ପାଇଁ ଆବଶ୍ୟକ  । ସେପଟେ ବିଜେପିକୁ ଚେକମେଟ୍ ଦେବାକୁ ଉଦୟ ନାୟକଙ୍କୁ ମଲ୍ଲାଇଦାର ନିଗମର ଦାୟିତ୍ୱ ଦେବା ଯୋଜନାରେ ବିଜୁ ଜନତା ଦଳ ଥିବା ଶୁଣାଯାଉଛି । ଦେଖାଯାଉ, ଦୁଇ ଦଶନ୍ଧିି ଧରି ନବୀନଙ୍କ ଚରିତ୍ର, ବେଶଭୂଷା, କାର୍ଯ୍ୟଶୈଳୀ ଓ ଚାଲିଚଳଣିକୁ ତାତ୍ସଲ୍ୟ କରିଥିବା ଭାଲୁ, କେତେ ଜୋରରେ ଶଙ୍ଖ ଫୁଙ୍କୁଛନ୍ତି!

ONA

Leave a Reply

Top